ପୁରୀ: ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି। ଆରମ୍ଭ ହୋଇଛି ୩ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା। ଗତକାଲି ପ୍ରଥମେ ରଥରେ ବ୍ରେକ ଓ ଦଉଡି ସଂଯୋଗ କରାଯାଇ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା । ପରେ ତାଳଧ୍ବଜ ଟଣାଯାଇ ନାକଚଣା ଦ୍ବାର ନିକଟକୁ ଅଣାଯାଇଛି। ତେବେ ରାତି ଓ ବର୍ଷା ହୋଇଯିବାରୁ ମହାପ୍ରଭୁ ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ କରାଯାଇ ନ ଥିଲା। ଆଜି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇଛି।
ଆଗାମୀ ୫ ତାରିଖ ଦଶମୀ ତିଥିରେ ମହାପ୍ରଭୁ ରଥରେ ବସି ବାହୁଡା ବିଜେ କରିବେ। ମହାଲକ୍ଷ୍ମୀଙ୍କୁ ଦେଇଥିବା କଥାରଖି ଶ୍ରୀମନ୍ଦିରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦାରୁବ୍ରହ୍ମ। ବୁଧବାର ନୀତିରେ ବିଳମ୍ବ ପରିଲଖିତ ହୋଇଥିଲା । ମହାପ୍ରଭୁଙ୍କ ସକାଳ ଧୂପ ବିଳମ୍ବ ହେବା ଫଳରେ ରଥକୁ ଆଜ୍ଞାମାଳ ଆସିବାରେ ବିଳମ୍ବ ହୋଇଥିଲା । ଯାହାଫଳରେ ରଥ ଟଣା ମଧ୍ୟ ବିଳମ୍ବ ହୋଇଥିଲା । ଦକ୍ଷିଣ ମୋଡ ପାଇଁ ରଥ ଟଣା ବିଳମ୍ବରେ ଆରମ୍ଭ ହେବା କାରଣରୁ ଶୁକ୍ରବାର ଦୁଇଟି ରଥର ଦକ୍ଷିଣ ମୋଡ ହୋଇଥିବା ବେଳେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ହୋଇପାରିନଥିଲା ।
ଆଜି ସକାଳେ ନନ୍ଦିଘୋଷ ରଥକୁ ନାକଚଣା ଦ୍ୱାରକୁ ଟାଣି ଟାଣି ଆଣି ଦକ୍ଷିଣ ମୋଡ଼ କରିଛନ୍ତି ସେବାୟତ । ତେବେ ରଥ ବିଜେ ପାଇଁ ଶରଧାବାଲିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ବାଲି ବିଛାଯାଇଛି । କାଲି ପୂର୍ବାହ୍ନରେ ମୁଖ୍ୟ ବିଶ୍ବକର୍ମା, ଭୋଇ ସେବକ, କମାର ସେବକ, ଇଞ୍ଜିନିୟର ଓ ରଥ ଯାଞ୍ଚ କମିଟିଙ୍କ ତତ୍ତ୍ବାବଧାନରେ ରଥର ସ୍ଥିତି ଅନୁଧ୍ୟାନ କରାଯାଇଛି । ଏପଟେ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି । ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ ।