ବେଙ୍ଗାଲୁର: ମଣିଷ ଠୁ ଅଧିକ ବିଶ୍ବସ୍ତନୀୟ ପଶୁ । କଥାରେ ଅଛି ଜୀବ ଜାତିଙ୍କୁ ଯେତିକି ଭଲ ପାଇବା ଦବ ତାଠାରୁ ଶହେ ଗୁଣା ସେମାନେ ତୁମକୁ ଭଲପାଇବେ । ଏଭଳି ଏକ ଘଟଣା କର୍ଣ୍ଣାଟକ ବେଲଗାୱୀରେ ସାମ୍ନାକୁ ଆସିଛି । ଜୁନ୍ ମାସରେ ହଜି ଯାଇଥିବା ପୋଷା କୁକୁର ମହାରାଜ ଏବେ ଜୁଲାଇ ମାସରେ ଘରକୁ ଫେରିଛି। ମହାରାଷ୍ଟ୍ରରୁ କର୍ଣ୍ଣାଟକ, ପ୍ରାୟ ୨୫୦ କିଲୋମିଟର ଚାଲି ଚାଲି ଘରକୁ ଫେରିଛି ପୋଷା କୁକୁର ମହାରାଜ । ଦକ୍ଷିଣ ମହାରାଷ୍ଟ୍ରର ତୀର୍ଥନଗର ପଣ୍ଡରପୁର୍ରେ ହଜି ଯାଇଥିଲା ମହାରାଜ । ମାଲିକକୁ ଖୋଜି ଖୋଜି ଏବେ ମାଲିକ ପାଖକୁ ଆସିଛି ମହାରାଜ ।
ଗତ ଜୁନ୍ ମାସରେ ମହାରାଜ ତା’ ମାଲିକ କମଲେଶ କୁମ୍ଭାରଙ୍କ ସହ ପଣ୍ଡରପୁର୍ରେ ବାର୍ଷିକ ‘ବାରି ପଦଯାତ୍ରା’କୁ ଯାଇଥିଲେ। ଏଥର ମଧ୍ୟ ସେ ପରିବାର ଓ ପୋଷା କୁକୁର (ମହାରାଜ) ସହ ସେଠାକୁ ଯାଇଥିଲେ । ଗହଳିରେ କୁକୁରଟି ହଜି ଯାଇଥିଲା । ବହୁତ ଖୋଜିବା ପରେ ସେମାନେ ମନ ଦୁଃଖରେ ପଳାଇ ଆସିଥିଲେ । ଗଲାବେଳକୁ ସେମାନେ ଭଜନ କୀର୍ତନ କରି ଯାଇଥିଲେ । ଆସିଲାବେଳକୁ ମନ ଦୁଃଖରେ ଫେରିଥିଲେ । କିଛି ଦିନ ପରେ ଥରେ କମଳେଶ ସକାଳ ବେଳେ କବାଟ ଖୋଲିଲା ବେଳକୁ ମହାରାଜକୁ ଦେଖିଥିଲେ । ସେ ଲାଙ୍ଗୁଡ ହଲେଇ ଅପେକ୍ଷା କରିଥିଲା ।
ମହାରାଜର ପ୍ରତ୍ୟାବର୍ତନରେ ଗ୍ରାମବାସୀ ଖୁସି ମନେଇବା ସହ ତାକୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ସେ ଦିନ ଗ୍ରାମରେ କମଳେଶ ଭୋଜି ଦେଇଥିଲେ । ଭଗବାନ ପାଣ୍ଡୁରଙ୍ଗ ଆମ ମହାରାଜାକୁ ବୋଧହୁଏ ବାଟ ଦେଖାଇଥିଲେ । ୨୫୦ କିଲୋମିଟର ଦୂରରୁ ସକୂଶଳେ ଫେରିବା ବିଶ୍ୱାସଯୋଗ୍ୟ ହେଉ ନାହିଁ ବୋଲି ସେ କହିଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।