ଭୁବନେଶ୍ୱର;(ରୁପୋଟର୍ସ ଟୁଡେ);-ସୃଷ୍ଟି ହେଲା ବଙ୍ଗୋପସାଗରରେ ଲଘୁଚାପ । ଏହାର ପ୍ରଭାବରେ ଆଜି ରାତିରୁ ପ୍ରବଳ ବର୍ଷା ଜାରି ରହିବ । ଆସନ୍ତା ୨ ଦିନରେ ଏହା ଉତ୍ତର ପଶ୍ଚିମ ଆଡକୁ ମହାଁଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା । ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର ।ଗାଙ୍ଗେୟ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବଲୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଏବଂ ତତସଂଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ବିଭିନ୍ନ ସ୍ଥାନରେ ବିସ୍ତୃତ ବର୍ଷା ସହ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ୨୦ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।
ଆସନ୍ତା ୨୦ ତାରିଖ ଯାଏଁ ହାଲୁକାରୁ ମଧ୍ୟମଧରଣ ବର୍ଷା ଜାରି ରହିବ । ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼କୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏଣୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ରରେ ରହିଥିଲେ ତୁରନ୍ତ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।