ଭୁବନେଶ୍ବର: ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର । ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨-୩ ଦିନ ମଧ୍ୟରେ ଲଘୁଚାପ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ଅଛି । ତେବେ ଆଗାମୀ ୨୪ ଘଣ୍ଟରେ ଅତି ଭୀଷଣ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଗୋଟିଏ କିମ୍ବା ୨ଟି ସ୍ଥାନରେ ଘଡ଼ଘଡ଼ି ସହ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ସେହିପରି ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ ଓ କଳାହାଣ୍ଡି ଭଳି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।