ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ସେପଟେ ପଛକୁ ପଛ ଆସୁଛି ଗୋଟେ ପରେ ଗୋଟେ ଲଘୁଚାପ । ରାଜ୍ୟରେ ତାଣ୍ଡବ ରଚୁଛି ଲଘୁଚାପ ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଭାଙ୍ଗି ଗଲାଣି ଚାଷୀର ମେରୁଦଣ୍ଡ । ସେପଟେ ଅଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇଛି । ଅନ୍ୟପଟେ ଦକ୍ଷିଣ-ପଶ୍ଚମ ବାଂଲାଦେଶ ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଆଡ଼କୁ ଗତି କରିବ । ପ୍ରଭାବରେ ଆଜିଠୁ ଆସନ୍ତା ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
୫ଦିନ ଯାଏ ରାଜ୍ୟରେ ଅତି ପ୍ରବଳ ବର୍ଷା । ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ଏକ ସମୟରେ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର । ସେପଟେ ଆଜି ପାଇଁ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ଓ ହୋଇପାରେ । ସେହିପରି ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସମ୍ଭାବନା ଯୋଗୁଁ ପ୍ରବଳ ବର୍ଷା ପରେ ତଳିଆ ଅଞ୍ଚଳରେ ବନ୍ୟାସ୍ଥିତି ନେଇ ରାଜ୍ୟବାସୀଙ୍କୁ ସତର୍କ କରାଯାଇଛି । ସେହିପରି ଜୁଲାଇ ୧ ତାରିଖ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।