ଗୋପ/ଜୟନ୍ତ କୁମାର ସେଠୀ: ପୁରୀ ଉପକଣ୍ଠ ସ୍ଥିତ ମଙ୍ଗଳା ନଈରେ ୩ ଦିନ ଧରି ମାଛ ମଡ଼କ ଚାଲିଛି । ଜଳ ପ୍ରଦୂଷଣ କାରଣରୁ ଏଭଳି ମାଛ ମରୁଥିବା ଆଶଙ୍କା କରାଯାଉଛି । ଏହି ଖବର ପ୍ରକାଶ ପାଇବା ପରେ ସାମୁଦ୍ରିକ ବିଜ୍ଞାନୀ ରାଜେଶ ପ୍ରଧାନ ଘଟଣା ସ୍ଥଳ ପରିଦର୍ଶନ କରି ଜଳ ଓ ମଲା ମାଛ ନମୁନା ସଂଗ୍ରହ କରିଛନ୍ତି । ମାଛ ମରିବା ସମ୍ପର୍କରେ ସେ କହିଛନ୍ତି ମୁହାଣ ଜଳ ସାଧାରଣତଃ ଲୁଣି ରହିବା କଥା । କିନ୍ତୁ ନଈ ମୁହାଣ ସମୁଦ୍ର ଜଳ ମିଠା ଲାଗୁଛି । ନଈ କୂଳରେ ଖଏଙ୍ଗା ପ୍ରଜାତିର ମାଛ ମରିଛନ୍ତି। ଏହି ମାଛ ନଦୀ ମୁହାଣ ପଠାରେ ଲାଗିଛି ପାଣି ଭିତରେ ମାଛ ମରି ଭାସୁଥିବାର ସେ ଦେଖିବାକୁ ପାଇନାହାନ୍ତି । ସାଧାରଣତଃ ଖଏଙ୍ଗା ମାଛ ଲୁଣା ପାଣିରେ ରହନ୍ତି । ନଈ ପାଣିର ଲବଣଂଶ ହ୍ରାସ ପାଇଥିବାରୁ ମାଛ ମରିଥିବାର ସେ ଆଶଙ୍କା କରୁଛନ୍ତି । ପରୀକ୍ଷାଗାରରେ ପାଣି ଓ ମଲା ମାଛର ଯାଞ୍ଚ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ । ନଈର ପାଣି ମଲା ମାଛ ନମୁନାକୁ ଆମେ ସଂଗ୍ରହ କରି ନେଉଛୁ ବୋଲି ସେ କହିଛନ୍ତି।