ପୁରୀ: ଲୀଳା ସାରି ଜନ୍ମ ବେଦୀରୁ ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ । ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ୧୨ ଦିନର ମାନବୀୟ ଲୀଳାଖେଳା ଶେଷ ପରେ ଆଜି ସିଂହଦ୍ୱାରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ । ଦ୍ୱିପ୍ରହରେ ଧୂପ ନୀତି ପରେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ ଶ୍ରୀଜିଉ । ଆଜି ତ୍ରୟୋଦଶୀ ଅବସରରେ ମାଆ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଉଦ୍ଦେଶ୍ୟରେ ରସଗୋଲା ଭୋଗ କରାଯିବାର ପରିମ୍ପରା ରହିଛି । କୁହାଯାଏ ମା ଲକ୍ଷ୍ମୀଙ୍କୁ ଛାଡି ମହାପ୍ରଭୁ ମାଉସୀ ମାଙ୍କ ଘରକୁ ଚାଲି ଯାଇଥିଲେ । ସେହି କାରଣରୁ ମା ଲକ୍ଷ୍ମୀ ଅଭିମାନ କରିଛନ୍ତି । ତେଣୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କ ରାଗକୁ ଶାନ୍ତ କରିବା ପାଇଁ ରସୋଗଲା ଦେଇ ମାନ ଭଞ୍ଜନ କରିଥାନ୍ତି । ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥାନ୍ତି ମହାବାହୁ ।
ଗତକାଲି ମହାପ୍ରଭୁଙ୍କ ଅଧର ପଣା ନୀତି ସମ୍ପନ୍ନ ହୋଇଥିଲା । ତିନି ରଥରେ ଅଧର ଚୁମ୍ବିତ ହାଣ୍ଡିରେ କ୍ଷୀର, ଛେନା, ଛାଚି, ଯାଇଫଳ ଆଦି ବିଭିନ୍ନ ଦ୍ରବ୍ୟ ପକାଯାଇ ପଣା ପ୍ରସ୍ତୁତ କରାଯିବା ସହ ପୂଜା ପଣ୍ଡା ସେବକଙ୍କ ଦ୍ବାରା ଷୋଡଶ ଉପଚାର ବିଧିରେ ପୂଜା କରାଯାଇଥିଲା । ପୂଜା ସମ୍ପର୍ଣ୍ଣ ପରେ ଅଧର ହାଣ୍ଡିକୁ ରଥ ଉପରେ ପାର୍ଶ୍ବ ଦେବାଦେବୀ, ଘୋଡା, ସାରଥୀ, ଶରୀରୀ, ଅସରୀରିଙ୍କ ଉଦ୍ଦେଶ୍ୟରେ ଭଙ୍ଗାଯାଇଥିଲା ।
ସୂଚନା ଅନୁଯାୟୀ ଆଜି ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେବ। ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ଗୋଟାଏରୁ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ଚାରମାଳ ଫିଟା ନୀତି ଅନୁଷ୍ଠିତ କରିବେ। ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ। ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ରେ ଦ୍ବାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତ୍ର ପହୁଡ଼ ହେବାର କାର୍ଯ୍ୟକ୍ରମ ରହିଛି ।