ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ଆଜି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ହେବ ହେରାପଞ୍ଚମୀ ନୀତି।ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ବିଧି ପରମ୍ପରା ଅନୁଯାୟୀ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଗୁଣ୍ଡିଚା ମନ୍ଦିର ଭିତରେ ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ସର୍ବାଙ୍ଗ, ବେଶ ବନ୍ଦାପନା ନୀତି ଅନୁଷ୍ଠିତ ହେବ। ପରେ ସନ୍ଧ୍ୟା ଧୂପ ଯିବା ଖବର ପାଇଲେ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଆସିବେ।
ନନ୍ଦିଘୋଷ ରଥ ଠାରେ ପତି ମହାପାତ୍ର ବନ୍ଦାପନା, ବିଡ଼ିଆ ମଣୋହି, ଆଦି ନୀତି ସାରି ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ସନ୍ଧ୍ୟାଧୂପ ଟେରା ପଡ଼ିଥିବା ହେତୁ ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିବେ ମହାଲକ୍ଷ୍ମୀ। ଏହାପରେ ଅଭିମାନୀନି ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବେ। ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିବାର ପରମ୍ପରା ରହିଛି । ଅନ୍ୟପକ୍ଷରେ ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଏଥିସହ ଗତକାଲି ଆଡ଼ପ ଅବଢ଼ା ପାଇଛନ୍ତି ଭକ୍ତ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଆସି ମହାପ୍ରଭୁଙ୍କ ଦର୍ଶନ ଠିକ୍ ଭାବେ ପାଇବେ ଓ ଅବଢ଼ା ଖାଇ ସ୍ୱଗୃହକୁ ଫେରିପାରିବେ ସେଥିନିମନ୍ତେ ବ୍ୟବସ୍ଥା କରାଯାଇଛି।