ପବିତ୍ର ମହାଳୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

0

ଗୋପ/ଜୟନ୍ତ ସେଠୀ: ପବିତ୍ର ମହାଳୟା ଅବସରରେ ଶ୍ରୀକ୍ଷେତ୍ର ବେଶ୍ ଚଳଚଞ୍ଚଳ । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବା ସହ ପିତୃ ପୁରୁଷଙ୍କୁ ମନେ ପକାଇଛନ୍ତି। ପିତୃପକ୍ଷର ଅନ୍ତିମ ଦିବସ ହୋଇଥିବାରୁ ପରିବାରର ୩ ପୁରୁଷଙ୍କୁ ତିଳତର୍ପଣ କରିବା ସହ ଆତ୍ମାର ସଦଗତି କାମନା କରାଯାଉଛି । ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ପୁରୀରେ ଲାଗିଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ବିଶେଷ କରି ଶ୍ରୀମନ୍ଦିରର ବାଇଶି ପାହାଚରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ପରମ୍ପରା ଥିବାରୁ ଭକ୍ତମାନେ ଶ୍ରୀମନ୍ଦିରରେ ଏକାଠି ହୋଇଛନ୍ତି। ତେବେ କୋଭିଡ କଟକଣା ହେତୁ ଭକ୍ତମାନେ ବାଇଶି ପାହାଚ ପରିବର୍ତେ ପ୍ରଶାସନ ଦ୍ୱାରା ବ୍ୟବସ୍ଥିତ ଶ୍ରୀମନ୍ଦିର ଉତ୍ତର ଦ୍ୱାର , ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଶ୍ରାଦ୍ଧ ତର୍ପଣ କରୁଛନ୍ତି । ଆଶ୍ୱୀନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଅନ୍ତିମ ତିଥିରେ ପିଣ୍ତଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଏହାଛଡ଼ା ପିତୃପକ୍ଷ ତିଥିରେ ପିଣ୍ତଦାନ କରିପାରିନଥିବା ଶ୍ରଦ୍ଧାଳୁ ମାନେ ଆଜି ପିଣ୍ତଦାନ କରି ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରିଛନ୍ତି। ବିଶ୍ୱାସ ରହିଛି ପିତୃପକ୍ଷ ଅବସରରେ ପୂର୍ବ ପୁରୁଷ ମାନେ ଧରାବତରଣ କରୁଥିବାରୁ ଏହି ସମୟରେ ଶ୍ରାଦ୍ଧ ଓ ପିଣ୍ତଦାନ କରାଯାଇଥାଏ। ଏହି ୧୫ ଦିନ ତିଥି ଅନୁଯାୟୀ ପିତା ଓ ମାତାଙ୍କର ତିନି ପୁରୁଷଙ୍କ ସ୍ମରଣ କରାଯାଇଥାଏ। ତେବେ ମହାଳୟା ଅମାବାସ୍ୟା ଏହାର ଅନ୍ତିମ ତିଥି ହୋଇଥିବାରୁ ଏହି ଦିନ ପିଣ୍ତଦାନ କଲେ ପୂର୍ବ ପୁରୁଷଙ୍କର ଆତ୍ମା ଶାନ୍ତି ଓ ମୋକ୍ଷ ପ୍ରାପ୍ତି ହେଉଥିବା ବିଶ୍ୱାସ ରହିଛି। ତେଣୁ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଏହି ପିଣ୍ତଦାନ କରି ନିଜକୁ ଧନ୍ୟ ମନେ କରନ୍ତି।