କଟକ: ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଦବଙ୍ଗଗିରିର ଚିତ୍ର ସାମ୍ନାକୁ ଆସିଛି । ପୁଷ୍ୟାଭୀଷେକ ଉତ୍ସବ ଅବସରରେ ଚାଲିଥିବା ରୋଡ ସୋ’ରେ ଶ୍ରୀ ପ୍ରଧାନ ଆଇନ ମନ୍ତ୍ରୀଙ୍କ ସହ ଯାଉଥିବା ବେଳେ ଭିଡ ଭିତରେ ହଠାତ ଉତ୍କ୍ଷପ୍ତ ହୋଇ ଦଳୀୟ ସମର୍ଥକ , ଲୋକଙ୍କୁ ଠେଲାପେଲା କରିଥିଲେ । କେବଳ ସମର୍ଥକଙ୍କୁ ନୁହେ ସୁରକ୍ଷା ଦାୟିତ୍ୱରେ ଥିବା ପିଏସଓଙ୍କୁ ମଧ୍ୟ ସେ ହାତ ଉଠାଇଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସାରଦା ଠେଲାପେଲା କରିଥିବା କର୍ମୀ ଓ ସମର୍ଥକମାନେ କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀଙ୍କ ସହିତ ଆସିଥିଲେ ବୋଲି କୁହାଯାଉଛି । ଏହାକୁ ନେଇ ସଦର ବିଜେପି ଶିବିରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।