ଆଜି ଠାରୁ ୧୪ ଦିନ ଧରି ବ୍ରହ୍ମଗିରିରେ ଚାଲିବ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ

0

ପୁରୀ-: ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ ବିଭିନ୍ନ ଅବତାର ନେଇ ଅନେକ ଲୀଳାଖେଳା କରିଛନ୍ତି । କେତେବେଳେ ରାମ ଅବତାରରେ ଶବରୀଠାରୁ ଅଇଁଠା ଖାଇଛନ୍ତି ତ ପୁଣି ଅହଲ୍ୟାଙ୍କୁ ପାଶାଣରୁ ମୁକ୍ତ କରିଛନ୍ତି । କେବେ ଦାରୁବ୍ରହ୍ମ ହୋଇ ଦାସିଆ ବାଉରି ହାତରୁ ନଡିଆ ନେଇଛନ୍ତି । ପୁଣି ଭକ୍ତ ସାଲବେଗ ପାଇଁ ନନ୍ଦିଘୋଷକୁ ଅଟକାଇ ରଖିଛନ୍ତି । ଲୀଳାମୟଙ୍କ ଏହି ଲୀଳା ମଧ୍ୟରୁ ଅଲାରନାଥ ରୂପ ମଧ୍ୟ ଆଉ ଏକ ଲୀଳା । ଭକ୍ତ ଲାଗି ମହାପ୍ରଭୁ ଜଗନ୍ନାଥ ୧୪ ଦିନ ପାଇଁ ଛୁଟିଆସନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରି ପୀଠକୁ । ଅଣସର ୧୪ ଦିନ ପର୍ଯ୍ୟନ୍ତ ବ୍ରହ୍ମଗିରି ପାଲଟିଯାଏ ଭିନ୍ନ ଏକ ପୁଣ୍ୟପୀଠ, ଆରମ୍ଭ ହୁଏ ମହାପ୍ରଭୁଙ୍କ ଲୀଳାଖେଳା । ଏଠାକୁ ଛୁଟିଆସନ୍ତି ଅଗଣିତ ଭକ୍ତ, ଆଉ ଭକ୍ତଙ୍କ ପାଇଁ ଖୋଲିଯାଏ ଆନନ୍ଦବଜାର ।

ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀଜୀଉ ୧୦୮ ଗରା ଜଳରେ ମହାସ୍ନାନ ପରେ ୧୪ ଦିନ ଧରି ଜ୍ୱରରେ ପଡିଥାନ୍ତି । ଶ୍ରୀବିଗ୍ରହ ଭକ୍ତମାନଙ୍କୁ ଦର୍ଶନ ନଦେଇ ଅଣସର ପିଣ୍ଡିରେ ଗୁପ୍ତସେବା ପାଇଥାନ୍ତି । ଠାକୁରଙ୍କ ଦର୍ଶନ ନପାଇ ଭକ୍ତମାନେ ଯେପରି କଷ୍ଟ ନପାଇବେ ସେଥିପାଇଁ ମହାପ୍ରଭୁ ଜଗନ୍ନାଥ ଅଲାରନାଥ ରୂପରେ ଦର୍ଶନ ଦେଇଥାନ୍ତି । ଏନେଇ ଆଜି ଠାରୁ ୧୪ ଦିନ ଧରି ବ୍ରହ୍ମଗିରିରେ ଚାଲିବ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଏହି ସବୁଦିନ ଅଲାରନାଥ ପୀଠ ପାଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର । ଅଲାରନାଥଙ୍କ ଦର୍ଶନ କରି ଭକ୍ତମାନେ ଜଗନ୍ନାଥ ଦର୍ଶନର ଫଳପ୍ରାପ୍ତି ପାଇଥାନ୍ତି । ଏହି ଅଣସର ସମୟରେ ଶ୍ରୀମନ୍ଦିର ସମ ମହାପ୍ରସାଦ ଅଲାରନାଥ ପୀଠରୁ ମିଳିଥାଏ । ଅଲାରନାଥଙ୍କ ପ୍ରିୟ ଭୋଗ ଖିରି ପ୍ରସାଦ ଆନନ୍ଦ ବଜାରରୁ ମିଳିଥାଏ ।

ମହାପ୍ରଭୁ ଅଲାରନାଥଙ୍କ ପ୍ରିୟ ଭୋଗ ଖିରିକୁ ନେଇ ଏକ କିମ୍ବଦନ୍ତୀ ରହିଛି । ଉପନୟନ ଓ ମନ୍ତ୍ର ଶିଖି ନଥିବା ୫ ବର୍ଷର ବାଳକ ହାତରୁ ଖିରି ଖାଇ ଅଲାରନାଥ ନିଜେ ପ୍ରମାଣ କରିଦେଇଛନ୍ତି ଭକ୍ତ ମନରେ ଭାବ ଥିଲେ ମନ୍ତ୍ର ଉପଚାରର ଆବଶ୍ୟକତା ନାହିଁ । ଯୁଗେ ଯୁଗେ ଏହାର ପ୍ରମାଣ ଦେବା ପାଇଁ ଏବେ ବି ମହାପ୍ରଭୁଙ୍କ ଦେହରେ ଫୋଟକା ଦାଗ ରହିଛି । ଏହି ବ୍ରାହ୍ମଣ ପରିବାରର ନାମ ଅନୁଯାୟୀ ମହାପ୍ରଭୁ ଅଲାରନାଥ ହେବାର ପ୍ରମାଣ ଅଛି ।