ଦେଢରୁ ଦୁଇଗୁଣା ମହଙ୍ଗା ହେବ ମହାପ୍ରସାଦ

0

ପୁରୀ: ଏଥର ମହଙ୍ଗା ହେବ ମହାପ୍ରସାଦ । ଦେଢରୁ ଦୁଇଗୁଣା ମହାପ୍ରସାଦ ଦାମ ବଢିପାରେ ବୋଲି କୁହାଯାଉଛି । ସୁଆର ମହାସୁଆର ଦେଇଥିବା ତାଲିକା ଅନୁଯାୟୀ କେବଳ ଧନୀ ବ୍ୟକ୍ତି ମହାପ୍ରସାଦ କିଣିପାରିବେ ଓ ଗରିବ ଭକ୍ତ ମାନେରାସ ହେବେ ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିରରେ କୁଡୁଆ ଅନୁସାରେ ଭକ୍ତ ମାନେ ମହାପ୍ରସାଦ କିଣିଥାନ୍ତି । କିନ୍ତୁ ଏବେ ସୁଆର ମହାସୁଆର ନିଯୋଗ ଯେଉଁ ଦର ତାଲିକା ଦେଇଛନ୍ତି , ସେଥିରେ ମହାପ୍ରସାଦ ତିନି ପ୍ରକାର ଥାଳି ବ୍ୟବସ୍ଥା କରାଯାଇଛି । ଅବଢା, ଡାଲି, ବେସର, ମହୁର, ଖଟା ଓ କାନିକା ଥାଳି ୧୨୦ ଟଙ୍କା ପ୍ରସ୍ତାବ ଦିଆଯାଇଥିବା ବେଳେ ଅବଢା, ଡାଲି, ବେସର, ମହୁର, ଖଟା ,କାନିକା ଓ ଖେଚୁଡି ଥାଳି ୧୫୦ଟଙ୍କା ଓ ଅବଢା , ଡାଲି, ବେସର , ମହୁର, ଶାଗ, ଖଟା, ପୋଟଳ ରସା, କାବୁଲି ସୋଲା, କାନେକା, ଖେଚେଡି ଓ କ୍ଷୀରି ଥାଳି ୨ଟଙ୍କା ରଖାଯାଇଛି । ଅନ୍ୟପକ୍ଷରେ ବାଇହାଣ୍ଡି ବାସୁମତି ଚାଉଳ ଅନ୍ନ ୨୫ଶହ ଟଙ୍କା ଓ ଜିରା ରାଇସ୍ ଅନ୍ନ ୧୩ଶହ ଟଙ୍କା କରିବା ଲାଗି ସୁପାରିସ ହୋଇଛି। ଏହାଭିନ୍ନ ବାସୁମତି ଦାସିଆ ୧୩ଶହ ଟଙ୍କା, ଜିରା ରାଇସ୍ ୧ହଜାର ଟଙ୍କା, କାନିକା ଅବା ଖେଚେଡ଼ି ୩ହଜାର ଟଙ୍କା ଦର ରଖାଯାଇଛି। ବଡ଼ ମଠ ବାସୁମତି ୭ଶହ ଟଙ୍କା, ଜିରା ରାଇସ୍ ୫ଶହ ଟଙ୍କା, କାନିକା ଅବା ଖେଚୁଡ଼ି ୧୫ଶହ ଟଙ୍କା, ଧଳା ମଠ ବାସୁମତି ୬ଶହ ଟଙ୍କା, ଜିରା ରାଇସ୍ ୪ଶହ ଟଙ୍କା, କାନିକା ଅବା ଖେଚୁଡ଼ି ୧ହଜାର ଟଙ୍କା ରଖାଯାଇଛି। ସାନମଠ, ଚକା ନମ୍ବରି, ନମ୍ବରି, ଧଳା କୁଡ଼ିଆ, ବଡ଼ ଭାତ, ସାନ ଭାତ, ଚକ, ପଖାଳ ଓ ଅଙ୍ଗାଶ ଆଦିର ଦର ୪୦ ଟଙ୍କାରୁ ୭ଶହ ଟଙ୍କା ପର୍ୟ୍ୟନ୍ତ ରଖାଯାଇଛି। ଦାସିଆ ଡାଲି ଦର ୨ହଜାର ଟଙ୍କା ଓ ତରକାରିର ଦର ୨ହଜାର ଟଙ୍କା, ବଡ଼ ମଠ ଡାଲି ଅବା ତରକାରୀ ଦର ୧ହଜାର ଟଙ୍କା, ଧଳା ମଠ ୮ଶହ ଟଙ୍କା, ସାନ ମଠ ୬ଶହ ଟଙ୍କା ରଖାଯାଇଛି। ଚକା ନମ୍ବରି, ନମ୍ବରି, ଧଳା କୁଡ଼ିଆ, ବଡ଼ ଭାତ, ସାନ ଭାତ, ଚକ, ପଖାଳ ଓ ଅଙ୍ଗାଶ ଆଦିର ଦର ୩୦ରୁ ୪ଶହ ଟଙ୍କା ପର୍ୟ୍ୟନ୍ତ ରଖାଯାଇଛି।
ଏ ନେଇ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଆବାହକ ସୂର୍ୟ୍ୟନାରାୟଣ ରଥ କହିଛନ୍ତି, ମହାପ୍ରସାଦ ରୋଷେଇ ପାଇଁ ଓ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆରଙ୍କଠାରୁ କୌଣସି ଟଙ୍କା ନେଉନି। ଏହାର ଉଦ୍ଦେଶ୍ୟ ହେଲା ସମସ୍ତେ ସୁଲଭ ମୂଲ୍ୟରେ ମହାପ୍ରସାଦ ପାଇବେ। କିନ୍ତୁ ଏଥିରୁ ଲାଭଖୋର ମନୋବୃତ୍ତି ଜଣାପଡ଼ୁଛି। ଏହା କାର୍ଯ୍ୟକାରୀ ହେଲେ କୌଣସି ଗରିବ ଭକ୍ତଙ୍କ ପରିବାର ପେଟଭରି ମହାପ୍ରସାଦ ଖାଇ ପାରିବେନି। ଜଣେ ବରିଷ୍ଠ ସେବା ୟତ କହିଛନ୍ତି, ହାଣ୍ଡି ମାପରେ ଗୋଳମାଳ କରାଯାଉଛି। କୁମ୍ଭାରଙ୍କୁ କହି ହାଣ୍ଡି ଛୋଟିଆ କରି ଭକ୍ତଙ୍କୁ ଶୋଷଣ ଚାଲିଛି। ଏହାର ବି ଯାଞ୍ଚ ହେବା ଆବଶ୍ୟକ।