ବାରିପଦା: ଗତ ମାର୍ଚ୍ଚ୍ ୨୭ ରୁ ୨୯ ତାରିଖ ପର୍ୟ୍ୟନ୍ତ ନାକ୍ ତରଫରୁ ଏକ ପାଞ୍ଚଜଣିଆ ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଗ୍ରହଣ, ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତ୍ତିଭୂମି ଓ ଶିକ୍ଷା ଗ୍ରହଣ ସଂଶୋଧନ, ଛାତ୍ରଙ୍କ ସହଯୋଗ ଓ ପ୍ରଗତି, ପ୍ରଶାସନ, ନେତୃତ୍ୱ ଓ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ, ସର୍ବୋତ୍ତମ ଅଭ୍ୟାସ ଭଳି ମାନଦଣ୍ଡକୁ ନେଇ ଏହି ମୂଲ୍ୟାଙ୍କନ କରାଯାଇଥିଲା
ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ତୃତୀୟ ପର୍ୟ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ‘ଏ’ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍ରୁ ୩.୧ କ୍ୟୁମୁଲେଟିଭ୍ ଗ୍ରେଡ ପଏଣ୍ଟ ଆଭରେଜ(ସିଜିପିଏ) ହାସଲ କରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଏହି କୃତିତ୍ୱ ହାସଲ କରିଛି । ଏଥିଲାଗି ବିଶ୍ୱବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥି, କୁଳସଚିବ ଶ୍ରୀ ସହଦେବ ସମାଧିଆ ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବିଶ୍ବବିଦ୍ୟାଳୟର ଛାତ୍ର ତଥା ବିଶ୍ବବିଦ୍ୟାଳୟର ଅନ୍ତରୀଣ ଗୁଣବତ୍ତା ସେଲ୍ ର ସଦସ୍ୟ ଅଭିଷେକ ପଣ୍ଡାଙ୍କ କହିବା ଅନୁଯାୟୀ, ଏବେ ବିଶ୍ଵବିଦ୍ୟାଳୟକୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମିଳିବାକୁ ଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ଆର୍ଥିକ ଅନୁଦାନ, ବିଦେଶୀ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ର ସୁଯୋଗ, ବିଭିନ୍ନ ବିଭାଗକୁ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ର ମାନ୍ୟତା, ଅଧିକ ନୂଆ ବିଭାଗ ଖୋଲିବାର ଅନୁମତି ପାଇବାରେ ସୁବିଧା ହେବା ସହ ଦୀର୍ଘ ଦିନ ରୁ ବନ୍ଦ ହୋଇ ପଡ଼ିଥିବା ଡିଡିସିଇ ପୁନଃ କାର୍ୟ୍ୟକ୍ଷମ ହୋଇ ପାରିବ । ତେବେ ବିଶ୍ଵବିଦ୍ୟାଳୟ କୁ ‘ଏ’ ଗ୍ରେଡ୍ ପାଇବା ପଛରେ ବିଶ୍ବବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ବିଶେଷ ଭୂମିକା ଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପଣ୍ଡା