ସୂର୍ୟ୍ୟକାନ୍ତ ବେହେରା ,ମାଲକାନଗିରି : ନିଜ କାର୍ୟ୍ୟାଳୟର ମହିଳା ସହକର୍ମୀଙ୍କୁ ଅସଦାଚରଣ କରି ଫସିଲେ ବରିଷ୍ଠ କିରାଣୀ । ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ କାର୍ୟ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନା ଅନୁଯାୟୀ, ବରିଷ୍ଠ କିରାଣୀ ଲକ୍ଷ୍ମଣ ରାଉତ ନିଜ କାର୍ୟ୍ୟାଳୟରେ କାର୍ୟ୍ୟରତ ଜଣେ କନିଷ୍ଠ ମହିଳା କିରାଣୀଙ୍କୁ ଅସଦାଚରଣ କରିଥିବା ନେଇ କାଲିମେଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । କିଛି ଜରୁରୀ କାର୍ୟ୍ୟ କରିବା ନିମନ୍ତେ କାଲିମେଳା ତହସିଲଦାର କାର୍ୟ୍ୟାଳୟର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲ । ଫଳରେ ଅନ୍ୟ କର୍ମଚାରୀମାନଙ୍କ ସହ ଅଭିଯୁକ୍ତ ବରିଷ୍ଠ କିରାଣୀ ଓ ପିଡ଼ୀତା ମଧ୍ୟ କାମ କରୁଥିଲେ । ତେବେ ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କୁ ଅସଦାଚରଣ କରିଥିବା ନେଇ ପିଡ଼ୀତା ଅଭିଯୋଗ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ପୂର୍ବରୁ ମାଲକାନଗିରି ସଦର ମହକୁମାରେ ଏକାଠି କାମ କରୁଥିବା ସମୟରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୀଡ଼ୀତା ସମାନ ଅଭିଯୋଗ ଆଣିଥିଲେ ।ସେପଟେ ଅଭିଯୋଗ ପାଇବା ପରେ କାଲିମେଳା ଥାନା ପୋଲିସ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ଜଗଦିଶ ବାରା ସୂଚନା ଦେଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ମାଲକାନଗିରି ଏସଡିପିଓ ସତ୍ୟ ଭୂୟାଁ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତା କନିଷ୍ଠ ମହିଳା କିରାଣୀଙ୍କୁ ମାଲକାନଗିରି ଆଣି ଅଧିକ ପଚରାଉଚୁରା କରୁଥିବା ସୂଚନା ଦେଇଛନ୍ତି ।