ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦାର୍ଜିଲିଂରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛ ପଟରୁ ଧକ୍କା ମାରିଛି ମାଲବାହୀ ଟ୍ରେନ୍। ଦୁର୍ଘଟଣାରେ ଯାତ୍ରୀବାହୀ କାଞ୍ଚନଜଙ୍ଗା ଏକ୍ସପ୍ରେସର ତିନିଟି ବଗିର ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୫ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଆଗକୁ ଆହତ ଓ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। କାରଣ ଯାତ୍ରାବାହୀ କାଞ୍ଚନଜଙ୍ଗା ଏକ୍ସପ୍ରେସର ୩ଟି ବଗି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ ଅଗରତାଲାରୁ ସିଲଦା ଅଭିମୁଖେ ଯାତ୍ରା କରୁଥିଲା। ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡ଼ି ଷ୍ଟେଶନ ନିକଟରେ ଏକ୍ସପ୍ରେସ ଟ୍ରେନ ଅଟକିଥିବା ବେଳେ ପଛପଟୁ ଆସୁଥିବା ଏକ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଏକ୍ସପ୍ରେସ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇ ପଡ଼ିଥିଲା। ୩ଟି ବଗି ବହୁ କ୍ଷତିଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏ ନେଇ ସୂଚାନ ଦେବା ସହିତ ବିପର୍ଯ୍ୟୟ ପରିଚାଳନା ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା କହିଛନ୍ତି। ଏହା ସହିତ ଜିଲାପାଳ, ଏସପି ଏବଂ ଆମ୍ବୁଲାନ୍ସ ସହିତ ଡାକ୍ତରୀଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏହା ସହ ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଦୁଇଟି ହେଲ୍ପ ଲାଇନ ନମ୍ବର ହେଉଛି ୦୩୩୨୩୫୦୮୭୨୪ ଏବଂ ୦୩୩୨୩୮୩୩୩୨୬ ।