ଚେତିଲା ପ୍ରଶାସନ ,ବର୍ଷା ପାଣି ଘେରରେ ରହୁଥିବା ପରିବାରଙ୍କ ସମସ୍ୟା ବୁଝିଲେ ବିଡିଓ

0

କାଲିମେଳା/ ସୂର୍ଯ୍ୟକାନ୍ତ ବେହେରା: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି-୫୯ ଗାଁ ମଝିରେ ଡ୍ରେନ୍ ନଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ଜଳବନ୍ଦୀ ହୋଇଯାଉଥିଲେ ଗ୍ରାମର ଏକାଧିକ ପରିବାର । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିଲା । ତେବେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି । ସ୍ଥାନୀୟ ବିଡିଓ ପଡ଼ିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି-୫୯ ଗ୍ରାମକୁ ଯାଇ ବର୍ଷା ଜଳ ନିଷ୍କାସିତ ହୋଇପାରୁ ନଥିବାରୁ ଜଳବନ୍ଦୀ ହୋଇ ରହୁଥିବା ପରାଣ ରାୟ, ଜୀବନ ରାୟ, ବିନୋଦ ସରକାର, ରଞ୍ଜିତ ବର୍ମନ ଓ ନିରଞ୍ଜନ ଢାଲି ସମେତ ଅନ୍ୟାନ୍ୟ ପରିବାରକୁ ଭେଟି ଆଲୋଚନା କରିଛନ୍ତି । ଏହାସହ ଡ୍ରେନ୍ ନଥିବାରୁ ପାଣି ଜମା ହୋଇ ରହିଥିବା ଏକାଧିକ ସ୍ଥାନ ବୁଲି ଦେଖିଥିଲେ । ଘରଗୁଡିକ ଠାରୁ ପକ୍କା ରାସ୍ତାର ଉଚ୍ଚତା ଅଧିକ ହୋଇଥିବା ସହ ଉପଯୁକ୍ତ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ଘରଗୁଡିକ ଜଳମଗ୍ନ ହୋଇ ରହୁଥିବା କହିଥିଲେ ।

 ତେଣୁ ତୁରନ୍ତ ଅସ୍ଥାୟୀ ଡ୍ରେନ୍ ନିର୍ମାଣ କରିବାକୁ ସ୍ଥାନୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରାୟ ୨ ଶହ ମିଟର ସ୍ଥାୟୀ ଡ୍ରେନ୍ ନିର୍ମାଣ ପାଇଁ ଜିପିଡିପି, ବିପିଡିପି କିମ୍ବା ଅନ୍ୟାନ୍ୟ ଯୋଜନାରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ଏବେ ପରାଣ ରାୟଙ୍କ ଘର ସମ୍ମୁଖରେ ଏକ ଅସ୍ଥାୟୀ ଡ୍ରେନ୍ ନିର୍ମାଣ କରାଯାଇଛି । ସେପଟେ ସ୍ଥାୟୀ ଡ୍ରେନ୍ ନିର୍ମାଣ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।ସୂଚନାଯୋଗ୍ୟ ଯେ, ଚଳିତ ବର୍ଷର ପ୍ରଥମ ବର୍ଷାରେ ଏମଭି-୫୯ ଗ୍ରାମରେ ବସବାସ କରୁଥିବା ଏହି ଲୋକଙ୍କ ଘର ଜଳମଗ୍ନ ହୋଇ ରହିଥିଲା । ଫଳରେ ଏହି ପରିବାରର ସଦସ୍ୟମାନେ ବାହାରକୁ ବାହାରି ପାରିନଥିବା ସହ ଅସୁରକ୍ଷିତ ଓ ସନ୍ତସନ୍ତିଆ ପରିବେଶରେ ବହୁ କଷ୍ଟରେ ଚଳୁଥିଲେ ।