ବ୍ୟୁରୋ : ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ | ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା | ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମମତା | ମୟୁରଭଞ୍ଜ କୁଡୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ | ତେବେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ଇସ୍ତଫା ଦେଇଛନ୍ତି ମମତା ମହାନ୍ତ | କେବଳ ରାଜ୍ୟସଭା ସାଂସଦ ପଦରୁ ନୁହେଁ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଛନ୍ତି | ତେବେ ବିଜେଡିରେ ଅଲୋଡ଼ା ପଡିଯାଇଥିବାରୁ ସେ ଇସ୍ତଫା ଦେଇଥିବା ଏକ୍ସର ମାଧ୍ୟମରେ ସୂଚନା ଦେଇଛନ୍ତି |
୨୦୧୧ରେ ରାଜନୀତିରେ ପାଦ ଥାପିଥିବା ମମତା ୨୦୧୨ରେ ବିଶୋଇ ବ୍ଲକ୍ର ୩୪ ନମ୍ବର ଜୋନ୍ରୁ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସାଂଗଠନିକ ଦକ୍ଷତା ଓ ନେତୃତ୍ବ ନେବାର ସାମର୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ମହିଳା ମୋର୍ଚ୍ଚା ସଭାପତି କରାଯାଇଥିଲା। ବିଶେଷ କରି ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସହିତ ତାଙ୍କର ସଂପୃକ୍ତି ଶୀର୍ଷ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ବିଜେଡି ଏଠାରୁ କାହାକୁ ରାଜ୍ୟସଭା ପଠାଇବ, ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା। ଶେଷରେ କୁଡୁମୀ ସମ୍ପ୍ରଦାୟ ତଥା ଓବିସି ବର୍ଗର ମହିଳା ମମତାଙ୍କ ପ୍ରାର୍ଥିତ୍ବ ଉପରେ ମୋହର ଲଗାଇଥିଲେ ନବୀନ।