ମହାକୁମ୍ଭରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣାକୁ ନେଇ ବିରୋଧୀ ଏବେ ଖଡ୍ଗହସ୍ତ । ପୂର୍ବରୁ ଅଖିଳେଶ,କେଜ୍ରିୱାଲ ଆଉ କଂଗ୍ରେସ କୁମ୍ଭକୁ ନେଇ ସମାଲୋଚନା କରିଥିବା ବେଳେ ଏବେ ମମତା ବାନାର୍ଜୀ ମଧ୍ୟ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମହାକୁମ୍ଭ ନାମରେ ନରସଂହାର କରାଯାଉଥିବା ଅଭିଯୋଗ କରିଥିବା ବେଳେ ଏବେ ମମତା ବାନାର୍ଜୀ ମହାକୁମ୍ଭକୁ ମୃତ୍ୟୁର କୁମ୍ଭ କହିଛନ୍ତି । କୁମ୍ଭରେ ଅନେକ ଲୋକଙ୍କ ମୃତ୍ୟୁକୁ ନେଇ ସାଧୁସନ୍ଥମାନେ ପାଟି ଖୋଲିନଥିବା ବେଳେ ମମତାଙ୍କ ଏଭଳି ବୟାନକୁ ଘୋର ବିରୋଧ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ମମତା କହିଥିଲେ କି ଏବେ ମହାକୁମ୍ଭ ଆଉ ମହାକୁମ୍ଭ ହୋଇନାହିଁ ବରଂ ଏହା ମୃତ୍ୟୁର କୁମ୍ଭରେ ପରିବର୍ତ୍ତନ ହୋଇସାରିଛି ।
ମମତା ବାନାର୍ଜୀ ଆହୁରି କହିଛନ୍ତି କି ଭି.ଆଇ.ପି ମାନଙ୍କ ପାଇଁ କୁମ୍ଭ ମେଳାରେ କୌଣସି ଅସୁବିଧା ନଥିବା ବେଳେ ସାଧାରଣ ଲୋକେ କେବେ କୁମ୍ଭରେ ପହଂଚି ଭିଡରେ ମରୁଛନ୍ତି ତ କେବେ ପୁଣି କୁମ୍ଭକୁ ଯିବା ପାଇଁ ରେଳ ଷ୍ଟେସନରେ ଦଳାଚକଟା ହୋଇ ମୃତ୍ୟୁବରଣ କରୁଛନ୍ତି । ଏତେ ବଡ ଆୟୋଜନ, କୋଟି କୋଟି ଟଙ୍କା ଖର୍ଚ୍ଚ ହେଲେ ସରକାର ଓ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଶାସନର ବିଫଳତା ଯୋଗୁଁ ଏତେ ଲୋକଙ୍କର ଜୀବନ ଗଲା । ମାତ୍ର ଏନେଇ ସରକାର ଦୁଃଖ ପ୍ରକାଶ କରିବା ପରିବେର୍ତ୍ତ ପ୍ରଚାର କରିବାରେ ଲାଗିଛନ୍ତି । ମମତା ଏପଟେ ମହାକୁମ୍ଭରେ ଘଟିଥିବା ଅଘଟଣକୁ ନେଇ ଯୋଗୀ ସରକାରଙ୍କୁ ଘେରିଥିବା ବେଳେ ମହାକୁମ୍ଭକୁ ସମ୍ମାନ ଦିଅନ୍ତି ବୋଲି କହିଛନ୍ତି ।