କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ୍ କରି ଟୁଇଟ୍ କଲେ ସାଂସଦ ମାନସ ମଙ୍ଗରାଜ

କହିଲେ ଭାଇ, ଡେରିରେ ହେଉ ପଛେ ଠିକ୍ କଥା କହିଛନ୍ତି

0

ଭୁବନେଶ୍ବର: ନୈତିକତାର ପାଠ ପଢ଼ିଲେ ସାଂସଦ ମାନସ ମଙ୍ଗରାଜ | ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମହାପ୍ରସାଦର ମହାତ୍ମ୍ୟ ସଂକ୍ରାନ୍ତରେ ବ୍ଲଗର କାମିଆ ଜାନୀଙ୍କ ଭିଡିଓ ଆସିବା ପରେ ରାଜ୍ୟ ବିଜେପି ଫେକ୍‌ ନ୍ୟୁଜ୍ ଜରିଆରେ ଅପପ୍ରଚାର କରିବାରେ ଲାଗିଛି। କେବଳ ରାଜ୍ୟ ବିଜେପି ନେତା ନୁହନ୍ତି କେନ୍ଦ୍ରମନ୍ତ୍ରୀ ମଧ୍ୟ ଫେକ୍ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି। ଯାହାକୁ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅସହିଷ୍ଣୁତାକୁ କଟୁ ଶବ୍ଦରେ ବିଜେଡି ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ମାନସ ମଙ୍ଗରାଜ ସମାଲୋଚନା କରିଥିବା ବେଳେ ଆଜି ପୁଣି ଟ୍ବିଟରେ ଟ୍ୟାଗ୍‌ କରି ନୈତିକତାର ପାଠ ପଢାଇଛନ୍ତି। ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ଡେରିରେ ହେଉ ପଛେ ଆପଣ ଠିକ୍ କଥା କହିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡିଶା ତଥା ଓଡିଶା ବାହାରେ ରହୁଥିବା ସଭିଙ୍କର ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ।

ହେଲେ, ବିଜେପିର କିଛି ନେତା ଗତ ଦୁଇ-ତିନି ଦିନ ଧରି ଓଡିଶାକୁ ଏବଂ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରିଛନ୍ତି ତାକୁ ସଭିଏଁ ଦେଖୁଛନ୍ତି । କାମିଆ ଜାନିଙ୍କୁ କେନ୍ଦ୍ର ସରକାର ଦେଶର ହିନ୍ଦୁ ମନ୍ଦିର ଐତିହ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ। ହେଲେ ଜଗନ୍ନାଥ ଧାମ ଆସି ପରିକ୍ରମା ପ୍ରକଳ୍ପର ଭିଡିଓ କଲେ କାହିଁକି ଅସୁବିଧା ହେଉଛି । କେବଳ ସେତିକି ନୁହେଁ କାହିଁକି ବିଜେପି ନେତା ଫେକ୍ ନ୍ୟୁଜ ଓ ଫେକ୍ ଭିଡିଓ ଜରିଆରେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ୍, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି ରହିଲା? ଫେକ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳିଥିବା ରାଜ୍ୟ ବିଜେପିର ଏହି ନେତାଙ୍କ ବିରୋଧରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି।