ବିଷମକଟକ / ରବୀନ୍ଦ୍ର କୁମାର ସାହୁ : ଆନ୍ତର୍ଜାତୀୟ ସଫ୍ଟ ଟେନିସ ଟୁର୍ଣ୍ଣାମେଣ୍ଟରେ ଖେଳିବେ ମନ୍ମୟ । ଥାଇଲାଣ୍ଡରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଖେଳିବେ ରାୟଗଡା ଜିଲ୍ଲା ବିଷମକଟକର ପୁଅ ମନ୍ମୟ ପଟ୍ଟନାୟକ । ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଓଡିଶାରୁ ମନୋନୀତ ହୋଇଥିବା ୩ ଜଣ ସବ୍ଜୁନିଅର ଖେଳାଳୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ମନ୍ମୟ। ଆସନ୍ତା ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପାଟାୟାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ଜାତୀୟ ଟିମ୍ ରେ ସେ ସାମିଲ ହୋଇଛନ୍ତି । ସବ୍ଜୁନିଅର ବର୍ଗରେ ସେ ଅଂଶଗ୍ରହଣ କରିବେ । ଏ ନେଇ ଆମେଟ୍ୟୁର୍ ସଫ୍ଟ ଟେନିସ୍ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଗତ ଡିସେମ୍ବର ମାସରେ ଅହମ୍ମଦାବାଦରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସଫ୍ଟ ଟେନିସ୍ ପ୍ରତିଯୋଗିତାରେ ଓଡିଶାରୁ ଅଂଶ ଗ୍ରହଣ କରି ଚମତ୍କାର ଖେଳ ପ୍ରଦର୍ଶନ କରି ଚୟନ କମିଟିର ନଜରକୁ ଆସିଥିଲେ ମନ୍ମୟ । ବିଷମକଟକର ବାସିନ୍ଦା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ ପଟ୍ଟନାୟକଙ୍କ ବଡ ପୁଅ ହେଉଛନ୍ତି ମନ୍ମୟ ପଟ୍ଟନାୟକ । ସେ ପିଲା ଦିନରୁ ହିଁ ଖେଳ ପ୍ରତି ରୁଚି ରଖୁଥିଲେ । ସେ ଭୁବନେଶ୍ୱରସ୍ଥିତ ଶିବାନନ୍ଦ ସେଣ୍ଟିନାରୀ ବାଳକ ବିଦାଳୟରେ ପାଠ ପଢୁଥିବା ବେଳେ ଭଲ କ୍ରୀଡା ପ୍ରଦର୍ଶନ କରିବାରୁ ତାଙ୍କୁ ସ୍କୁଲର ୪୦ତମ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆନ୍ତର୍ଜାତୀୟ ଖେଳାଳି ରୂପେ ମନ୍ମୟ ଚୟନ ହୋଇଥିବା ଯୋଗୁଁ ଚାରିଆଡ଼ୁ ତାଙ୍କୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି ।