ହିମାଞ୍ଚଳପ୍ରଦେଶ: ବର୍ଷାର କରାଳ ରୂପରେ ବଳିପଡିଛି ଅନେକ ଜୀବନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାଇଛି ୧୧ ଜୀବନ । ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାପଡିଛି । ମାଣ୍ଡିରୁ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶିମଲାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୪୦୦ ରୁ ଅଧିକ ରାସ୍ତା ଅବରୋଧ ହୋଇଛି । ବୁଧବାର ସିମଲାରେ ଭୀଷଣ ଭୂସ୍ଖଳନ ହୋଇଛି । ମଣ୍ଡି ପଣ୍ଡୋହରେ ବାଦଲ ଫଟା ବର୍ଷା ଯୋଗୁଁ ଦୁଇଟି ଘର ସହ ସ୍କୁଲ ବି ପାଣିରେ ବହିଯାଇଛି । ଭାରି ବର୍ଷା ଓ ଭୂସ୍ଖଳନ ଫଳରେ ହିମାଞ୍ଚଳପ୍ରଦେଶର ମଣ୍ଡି ପର୍ଯ୍ୟନ୍ତ ଗାଡି ଗୁଡିକର ଲମ୍ବା ଲାଇନ ଲାଗିରହିଛି । କୁଲୁ ଜିଲ୍ଲାକୁ ସଂଯୋଗ କରୁଥିବା ରୋଡଟି ଭାରି ବର୍ଷା କାରଣରୁ ଭୁଷୁଡି ପଡିଛି । ବର୍ତ୍ତମାନ ଯାତାୟତ ଠପ୍ ହୋଇଥିଲା ବେଳେ ଯଦି ବର୍ଷା ବାଧା ସୃଷ୍ଟି ନକରେ ତେବେ ଯାତାୟତ ସ୍ୱଭାବିକ ହେବ । ତେବେ ଯାତ୍ରୀମାନେ ଅଟକି ରହିଥିବା ରାସ୍ତାରେ ଖାଇବା ପାଇଁ ନା ପିଇବା ପାଇଁ କୌଣସି ସୁବିଧା ପାଇ ପାରୁ ନାହାଁନ୍ତି । ଭୋକ ଉପାସରେ ରହିଥିବା ଦେଖିବାକୁ ମିଳିଛି ।
ଚଳିତ ବର୍ଷ ଏଠାରେ ଜୁନରେ ମୌସୁମୀ ପହଞ୍ଚିବା ପରେ ଅନେକ ଥର ବାଦଲଫଟା ବର୍ଷା ହେବା ଯୋଗୁଁ ପାଖାପାଖି ୩୬୦ଜଣଙ୍କର ମୃତ୍ୟୁ ହେବା ସହ ହଜାର ହଜାର ଘର ନିଶ୍ଚିହ୍ନ ହୋଇଯାଇଛି । ଲୋକେ ବାସହରା ହୋଇପଡିଛନ୍ତି । କେବଳ ଏତିକି ନୁହେଁ ଅନେକ ସ୍ଥାନରେ ଭୀଷଣ ଭୂସ୍ଖଳନ ଯୋଗୁଁ ବହୁ ପ୍ରସାଦ ସବୁ ମାଟିରେ ମିଶିଛି । ଜଳସମାଧି ନେଇଛି ବହୁ ଗାଡି ମଟର ଓ କାର୍ଯ୍ୟାନୁଷ୍ଠାନ । ଦୟନୀୟ ଭାବେ ଲୋକେ ପ୍ରାଣ ହରାଇଛନ୍ତି । ତଥାପି ଏପରି ପ୍ରାକୃତିକ ବିପର୍ୟ୍ୟୟରେ ପୂର୍ଣ୍ଣଚ୍ଛେଦ ପଡିନି । ତେବେ ଶିମଲା, ସିର୍ମାଉର, କାଙ୍ଗ୍ରା, ଚାମ୍ବା, ମାଣ୍ଡି, ହମିରପୁର, ସୋଲାନ୍, ବିଲାସପୁର ଏବଂ କୁଲୁ ଜିଲ୍ଲାକୁ ମଧ୍ୟମରୁ ଉଚ୍ଚ ବର୍ଷା ପାଇଁ ବିପଦ ସଙ୍କେତ ଦିଆଯାଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ମାଣ୍ଡି, ଶିମଲା, ସୋଲାନ୍, ଏବଂ କୁଲୁ ରହିଥିବାବେଳେ ବିଲାସପୁରରେ ୨୪ ଘଣ୍ଟା ମଧ୍ୟରେ ୧୮୦ମିମି ଅଧିକ ବର୍ଷା ରେକର୍ଡ ହୋଇଛି । କେବଳ ଏହି ମାସରେ, ବର୍ଷା ଜନିତ ୮୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।