ମଦର୍ସ୍ ମାର୍କେଟ

0

( ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଅନେକଙ୍କୁ ହୁଏତ ଜଣା ନ ଥାଇପାରେ ଯେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ମାର୍କେଟ ବା ବଜାର ମଣିପୁର ରାଜଧାନୀ ଇମ୍ପାଲରେ ରହିଛି । ଏହା ମଦର୍ସ ମାର୍କେଟ ଭାବେ ପରିଚିତ ଏବଂ ଏସିଆର ସବୁଠାରୁ ବଡ଼ ମହିଳା ମାର୍କେଟ୍ । ମୋଟ ଦୋକାନ ସଂଖ୍ୟା ଚାରି ହଜାରରୁ ଅଧିକ । ମାର୍କେଟରେ ଜଣେ ବି ପୁରୁଷ ଦୋକାନୀ ନାହାନ୍ତି । ବିଶ୍ୱାସ କରାଯାଏ ଏହି ମାର୍କେଟ ପ୍ରାୟ ପାଞ୍ଚ ଶହ ବର୍ଷର ପୁରୁଣା । ମାର୍କେଟ ଆରମ୍ଭର କାରଣ ମଣିପୁର ଇତିହାସ ସହିତ ଜଡ଼ିତ । ରାଜରାଜୁଡ଼ା ଶାସନ ଅମଳରେ ମଣିପୁରରେ ଲାଇପ୍ ନାମକ ଏକ ପାରଂପରିକ ପ୍ରଥାର ପ୍ରଚଳନ ଥିଲା । ପ୍ରଥା ଅନୁସାରେ ମୈତି ସଂପ୍ରଦାୟର ପୁରୁଷମାନଙ୍କୁ ରାଜାଙ୍କ ଦରବାରରେ କାମ କରିବାକୁ ପଡୁଥିଲା । ଏଥିପାଇଁ ସେମାନେ ଦିନରାତି ରାଜା ଉଆସରେ ରହୁଥିଲେ । ଏହା ଦ୍ୱାରା ପୁରୁଷମାନେ ଘର କାମ ବୁଝିବାକୁ ସମୟ ପାଇଲେ ନାହିଁ ଏବଂ ପୁରୁଷଙ୍କ ଅନୁପସ୍ଥିତରେ ମହିଳାମାନେ ବାହାରକୁ ବାହାରିଲେ । ମହିଳାମାନେ ଘର କାମ ସହିତ ଚାଷ କଲେ । ସେହି ଧାରା କ୍ରମେ ଗଡ଼ିଆସିଛି ଏବଂ ତାହା ପିଢି ପରେ ପିଢି ଏକ ପରଂପରାରେ ପରିଶତ ହୋଇଛି । ନିୟମ ଅନୁସାରେ ଏହି ମାର୍କେଟରେ କେବଳ ବିବାହିତ ମହିଳାମାନେ ହିଁ ବ୍ୟବସାୟ କରନ୍ତି ।