ଖଡଗପୁର: ଖଡଗପୁର ଆଇଆଇଟିରେ ଭୟଙ୍କର ଅଗ୍ନିକାଣ୍ଡ । ଏଲବିଏସ୍ ହଲର କମନ୍ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟି ସବୁ ଜିନିଷ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ପରେ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଘଟଣା ପରେ ଆଇଆଇଟି ଖଡଗପୁରରେ ହଡକମ୍ପ ସୃଷ୍ଟି ହୋଇଛି । ତେବେ ଘଟଣା ସ୍ଥଳରେ ଆଇଆଇଟି ଖଡଗପୁରର ପ୍ରଶାସନିକ ଅଧିକାରୀ ପହଞ୍ଚି ସଂପୂର୍ଣ୍ଣ ମାମଲାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଖବର ଅନୁଯାୟୀ, ଗତ ରାତି ପ୍ରାୟ ୩ଟା ବେଳେ ଖଡଗପୁର ଆଇଆଇଟିର ଲାଲ୍ ବାହାଦୁର ଶାସ୍ତ୍ରୀ ହଲରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏହି ସମୟରେ ସବୁ ଛାତ୍ରଛାତ୍ରୀ ଶୋଇଥିଲେ । ତେଣୁ ଅଗ୍ନିକାଣ୍ଡ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ବିଛଣାପତ୍ର ସମେତ ଅନ୍ୟାନ୍ୟ ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲିଭାଇବା ପାଇଁ ତୁରନ୍ତ ଦମକଳକୁ ଖବର ଦିଆଯାଇଥିଲା। ଖଡ଼ଗପୁର ଓ ସାଲୁଆରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପ୍ରାୟ ୧ ଘଣ୍ଟା ମଧ୍ୟରେ ନିଆଁ ଲିଭାଯାଇଥିଲା। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।