(ମମତା ସାମଲ)ରିପୋର୍ଟସଟୁଡେ: ଫନି ବାତ୍ୟାର ତାଣ୍ଡବରେ ଉଜୁଡି ଯାଇଥିଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ । ବାତ୍ୟାରେ ଲକ୍ଷ ଲକ୍ଷ ବୃହତକାୟ ଓ ପୁରାତନ ଗଛ ଉପୁଡି ପଡିଥିଲା । ତେବେ ବାତ୍ୟାକୁ ୩ମାସ ପୂରିଥିବାବେଳେ ପୂର୍ବ ଅବସ୍ଥା ଫେରାଇଆଣିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ।
ବିଭାଗ ପକ୍ଷରୁ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଓ ବାଲୁଖଣ୍ଡ ଅଭୟାରଣ୍ୟରେ ଗଛ ଲଗାଇବା କାମ ଜୋରସୋର ଚାଲିଛି । ଏପରିକି ଗଛ ଲଗାଇବା ପାଇଁ ଇଚ୍ଛୁକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଚାରା ହସ୍ତାନ୍ତର କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ବନାଞ୍ଚଳ ଅଧିକାରୀ । ବନ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ଏକ ଲକ୍ଷ ଚାରା ଲଗାଯାଉଛି । ସେହିପରି ପୁରୀ ଆଇଟିଆଇ କଲେଜ ପରିସରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗଛ ଲଗାଯାଉଛି ।
ସ୍ୱେଚ୍ଛାସେବୀମାନେ ବନବିଭାଗ ସହଯୋଗରେ ଆକାସିଆ,ନିମ୍ବ,କରଞ୍ଜ,ବଉଳ ଓ ଜାମୁ ଆଦି ଗଛ ଲଗାଇଛନ୍ତି । ଯେଉଁ ସ୍ୱେଚ୍ଛସେବୀ ଯେଉଁ ଗଛ ଲଗାଇଛନ୍ତି,ତାଙ୍କରି ନାମରେ ସେହି ଗଛର ନାମକରଣ କରାଯାଉଛି । ସେହି ଗଛକୁ ପାଣି ଦେଇ ବଞ୍ଚାଇ ରଖିବାର ଦାୟିତ୍ୱ ମଧ୍ୟ ସେମାନେ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ତଜାର୍ତାୟ ବାଲୁକା ଶିଳ୍ପୀ ମାନସ ସାହୁ,ସ୍ତମ୍ଭକାର ଓ ଗୀତିକାର ବଦ୍ରି ମିଶ୍ର ଏବଂ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।