ଭୁବନେଶ୍ୱର: ମହାମାରୀ କରୋନାରେ ଦେଶ ତଥା ରାଜ୍ୟ ପେସି ହେଉଛି । କିନ୍ତୁ ଏହି ଘଡି ସନ୍ଧି ମୁହୁର୍ତ୍ତରେ ରାଜ୍ୟ ସରକାର ଗରିବଙ୍କ ପେଟରେ ନାତ ମାରିଛନ୍ତି । ଏହି ଏକ ବର୍ଷ ମଧ୍ୟରେ ରାଜ୍ୟସରକାର ପ୍ରାୟ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି ବୋଲି କଂଗ୍ରେସ କହିଛି । ଲକ୍ଷାଧିକ ‘ଭୂତ ହିତାଧିକାରୀଙ୍କ କାର୍ଡ ଜରିଆରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଏହି ଘୋଟାଲା କରିଛନ୍ତି ଓ ଏଥିରେ ବିଜେଡିର ସମସ୍ତ ସଦସ୍ୟ ସାମିଲ ରହିଥିବା ଅଭିଯୋଗ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ।
ସାମ୍ବାଦିକ ସମ୍ବିଳନୀରେ ସେ ଦର୍ଶାଇଛନ୍ତି କି, ୧ ବର୍ଷ ମଧ୍ୟରେ ଶହଶହ କୋଟି ଟଙ୍କାର ରାସନ ସାମଗ୍ରୀ ଭୂତ ହିତାଧିକାରୀଙ୍କ ନାଁରେ ଉଠାଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟରୁ ୯୩ ଲକ୍ଷ ୬ ହଜାର ୨୦୨ ଜଣ ହିତାଧିକାରୀ ଥିବା ବେଳେ କୌଣସି ଗୋଟିଏ ମାସରେ ବି ୯୩ ଲକ୍ଷ ହିତାଧିକାରୀଙ୍କୁ ରାସନ ବଣ୍ଟା ଯାଇନାହିଁ । କିନ୍ତୁ କେନ୍ଦ୍ରରୁ ସମ୍ପୂର୍ଣ୍ଣ କୋଟା ଆଦାୟ ହୋଇଛି । ପ୍ରତି ମାସରେ ଅନ୍ୟୁନ ୧୦ ମେଟ୍ରିକ ଟନ ଘୋଟାଲା ହୋଇଛି । ପ୍ରତ୍ୟେକ ମାସରେ ରହିଯାଉଥିବା ଚାଉଲ କୁଆଡ଼େ ଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହା ବିଜେଡ଼ି ସରକାରର ଏକ ମାସିକ ଘୋଟାଲା କାର୍ୟ୍ୟକ୍ରମ ବୋଲି କଂଗ୍ରେସ କହିଛି ।