ଆଇସିୟୁରେ ଭର୍ତ୍ତି ହେଲେ ନକଲି ସାର୍ଟିଫିକେଟ ମାମଲାର ମାଷ୍ଟରମାଇଣ୍ଡ

0

ବଲାଙ୍ଗୀର: ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି ହେଲେ ନକଲି ସାର୍ଟିଫିକେଟ୍ ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଆଲୋକ ଉଦଗାତା । କ୍ରାଇମବ୍ରାଞ୍ଚ୍ ଆଲୋକଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ଆଣିଥିଲା।କିନ୍ତୁ ତାଙ୍କୁ ଏବେ ଆଇସିୟୁରେ ରଖାଯାଇଥିବା ସୂଚନା ରହିଛି । କ୍ରାଇମବ୍ରାଞ୍ଚର ମୋଟ ୧୦ ଜଣିଆ ଟିମ୍ ଏବେ ଭାଗ ଭାଗ ହୋଇ ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି। ଟାଉନା ଥାନାରେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ମମତାରାଣୀ ପଣ୍ଡା ତନାଘନା କରୁଛନ୍ତି। ଆଉ ଏକ ଟିମ ଦୁଇଦିନ ହେଲା ଚାରିଜଣ ଅଭିଯୁକ୍ତଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛି। ଅନେକ ତଥ୍ୟ ମଧ୍ୟ ହାସଲ କରିଛି। ତେଣୁ ଏବେ ଅଭିଯୁକ୍ତମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଜଣ ଜଣ କରି ସମସ୍ତଙ୍କୁ ଗିରଫ କରିବାକୁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ଦେବବ୍ରତ ଚକ୍ର କହିଛନ୍ତି, ରାଜ୍ୟ ବାହାରକୁ ଟିମ ଯିବ ନିଶ୍ଚିତ। ଏହାସହ ଆଗକୁ ଗିରଫଦାରୀ ବହୁ ସଂଖ୍ୟାରେ ବଢ଼ିବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଏହି ଜାଲ ସାର୍ଟିଫିକେଟ କାରବାରରେ ବିଭିନ୍ନ ସରକାରୀ ବିଭାଗରେ ବଡ଼ବଡ଼ିଆଙ୍କ ମଧ୍ୟ ସଂପୃକ୍ତି ଥାଇପାରେ। ତେଣୁ କ୍ରାଇମବ୍ରାଞ୍ଚ ସେଦିଗରେ ମଧ୍ୟ ତଦନ୍ତ କରି ଦୋଷୀ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।