ବ୍ୟୁରୋ : ମା’ ଠାରୁ କିଛି ଛୋଟ ଶବ୍ଦ ନାହିଁ କି ମା’ ଠାରୁ କିଛି ବଡ ଅର୍ଥ ନାହିଁ । ମା’ ହେବା ପରେ ନାରୀକୁ ତା ଜିବନରେ ପୂର୍ଣ୍ଣତା ମିଳିଥାଏ । ନିଜ ଶିଶୁ ପାଇଁ ମା’ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାଏ । କିନ୍ତୁ କର୍ମଜୀବୀ ମହିଳାମାନେ ମା’ ହେବାପରେ ବହୁ ଅସୁବିଧାର ସମ୍ମୁଖିନ କରିଥାନ୍ତି । ଘରକାମ ସହ ଅଫିସ କାମ ଓ ନିଜ ପିଲାର ଯତ୍ନ ନେବାକୁ ପଡିଥାଏ ।
ଏହିସବୁ ଭିତରେ ଅନେକ ବାଧାବିଘ୍ନର ସାମ୍ନା କରିଥାନ୍ତି । ମହିଳା କର୍ମଚାରୀଙ୍କ ପାଇଁ ଏବେ ଏକ ଖୁସି ଖବର ଆସିଛି । ସିକ୍କିମ ସରକାର ଏହି ସବୁ ଅସୁବିଧାକୁ ନଜରରେ ରଖି ମହିଳା କର୍ମଚାରୀଙ୍କ ପାଇଁ ଥିବା ୬ ମାସର ଛୁଟିକୁ ଏବେ ବର୍ଷେ ମାତୃତ୍ୱ ଛୁଟି ଘୋଷଣା କରିଛନ୍ତି । ଏଥିସହ ବାପାମାନଙ୍କ ପାଇଁ ଏକ ମାସର ପିତୃତ୍ୱ ଛୁଟି ମଧ୍ୟ ଘୋଷଣା କରାଯାଇଛି ।
ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ସିକ୍କିମ୍ ରାଜ୍ୟ ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନ୍ ର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ଏଣିକି ମହିଳା କର୍ମଚାରୀମାନେ ମା’ ହେଲେ ସେମାନଙ୍କୁ ୧୨ ମାସ ମାତୃତ୍ୱ ଛୁଟି ମିଳିବ ବଲି ଘୋଷଣା କରିଛନ୍ତି ।ସଭାରେ ମୁଖ୍ୟମନ୍ତ୍ରୀଙ୍କ ଏପରି ବିବୃତିକୁ ନେଇ ଅଧିକାରୀଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗର ଅଧିକାରୀମାନେ ଧନ୍ୟବାଦ ଜଣାଇଥିଲେ ।