କଟକ: କରୋନା ସଂକ୍ରମଣ ପାଇଁ ସମସ୍ତ ପରୀକ୍ଷାରେ ବିଳମ୍ବ ହୋଇଛି । ମାଟ୍ରିକ ପରୀକ୍ଷା ମେ ୩ ତାରିଖରୁ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି । ତେବେ ମେ ମାସରେ ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ସମୟରେ ପରିବର୍ତ୍ତନ କରିବାକୁ ଯୋଜନା ହେଉଛି । ପ୍ରଖର ଗ୍ରୀଷ୍ମ ତାପ ପାଇଁ ପରୀକ୍ଷାକୁ ସକାଳ ବେଳା କରିବାକୁ ପରିଷଦ ଯୋଜନା କରୁଛି । ଏନେଇ ଖୁବ ଶୀଘ୍ର ପରିଷଦ ଓ ଶିକ୍ଷା ବିଭାଗ ମଧ୍ୟରେ ଏକ ବୈଠକ ହେବାକୁ ଯାଉଛି ଓ ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।
କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା ହେବାକୁ ଯାଉଛି । ତେଣୁ ପରୀକ୍ଷାକେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷାର୍ଥୀଙ୍କ ମଧ୍ୟରେ ୬ ଫୁଟ ବ୍ୟବଧାନ ରଖିବାକୁ ନିଷ୍ପତ୍ତି ହୋଇଛି । ତେଣୁ ସେଣ୍ଟର ପିଛା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨ ଶହ ମଧ୍ୟରେ ସୀମିତ ରଖିବା ପରିଷଦ ପ୍ରାଥମିକ ଭାବେ ନିଷ୍ପତ୍ତି ନେଇଛି । ତେବେ ଅଧିକ ଭତ୍ତିଭୂମି ଥିବା ବଡ଼ ବିଦ୍ୟାଳୟରେ ୨ଟି ପ୍ରବେଶ ପଥ ଏବଂ ଅଧିକ ଶ୍ରେଣୀ କକ୍ଷ ଥିଲେ ସେଠାରେ ୨ ଶହରୁ ଅଧିକ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କରାଯାଇପାରେ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି ।
ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ କେଉଁ ଶିକ୍ଷା ଜିଲ୍ଲାରେ କେତେ ସେଣ୍ଟର ଚୟନ କରାଯିବ ସେ ସମ୍ପର୍କରେ ଏବେ ବୋର୍ଡ ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ପରିଷଦ କର୍ତ୍ତୃପକ୍ଷ ଓ ଅନ୍ୟ ଅଧିକାରୀଙ୍କ ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଉଛି। ଫର୍ମ ପୂରଣ ଶେଷ ହେବା ପରେ ମୋଟ୍ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ନିଆଯାଇ ସେଣ୍ଟର ଚୟନ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।