ଆରମ୍ଭ ହେଲା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା

0

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ। ପ୍ରତିଦିନ ସିଙ୍ଗିଲ ସିଟିଂରେ ବା ଗୋଟିଏ ଦିନରେ ଗୋଟିଏ ପରୀକ୍ଷା ହେବ।

ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲାଯିବ, ସକାଳ ୯ଟା‌ରୁ ପରୀକ୍ଷା ଆରମ୍ଭ ହେବ। ତେବେ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ। ନୋଡା‌ଲ‌ ସେଣ୍ଟରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ସ୍ଥାନାନ୍ତର କରାଯାଇ ସକାଳ ୮ଟା ମଧ୍ୟରେ କେନ୍ଦ୍ରରେ ପହଞ୍ଚିଛି ।

ମାଟ୍ରିକ୍ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋ‌ଇ ୧୧ଟା ୩୦ମିନିଟରେ ସରିବ। କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ମିଳିବ ଓ ଗଣିତ ପରୀକ୍ଷା ୧୧ଟା ୪୫ ମିନିଟରେ ସରିବ।

ପରୀକ୍ଷାର ସୁପରିଚାଳନା ନିମନ୍ତେ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ ପ୍ରାୟ ୬୦୦ କେନ୍ଦ୍ରରେ ଲାଇଭ ଷ୍ଟ୍ରିମିଂ(ସିଧାପ୍ରସାରଣ)ର ବ୍ୟବସ୍ଥା କରାଯାଇଛି।

କପି ରୋକିବାକୁ ଏଥର ଚାରିସ୍ତରୀୟ ସ୍କ୍ୱାଡ୍‌ ଗଠନ କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ଏଥର ପ୍ରଶ୍ନପତ୍ରର ପ୍ରତି ପୃଷ୍ଠାରେ କ୍ୟୁଆର୍‌ କୋଡ୍‌ ବ୍ୟବସ୍ଥା ସହ ପ୍ରତି ପ୍ରଶ୍ନ ପାର୍ଶ୍ବରେ ପ୍ରଶ୍ନପତ୍ରର କ୍ରମିକ ନମ୍ବର ରହିଛି। ଫଳରେ କେଉଁ ପରୀକ୍ଷା କେନ୍ଦ୍ରରୁ ଓ କେଉଁ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଭାଇରାଲ ହେଲା, ତାହା ଜଣାପଡ଼ିଯିବ।