କୋଇଲା ଖଣି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି

0

 (ଜ୍ୟୋତିରଞ୍ଜନ ଧର )କଣିହାଁ: ଅନୁଗୁଳ ଭରତପୁର ଏମସିଏଲ କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଲୋକମାନେ ଧାରଣାରେ ବସିଥିଲେ । ଏହା ପରେ ଆଜି ଏଡିଏମ୍‌ ତପନ ଶତପଥୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ମୃତକଙ୍କ ପରିବାର ଲୋକ, ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ମୃତଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ଖଣିରେ ଠିକା ନିଯୁକ୍ତି ମିଳିଛି। ମାସକ ପରେ ନିୟମିତ କରାଯିବା ନେଇ ବିଚାର କରାଯିବ । ଏଥିପାଇଁ ଏମ୍‌ସିଏଲ୍‌ କୋଲ୍‌ ଇଣ୍ଡିଆକୁ ସୁପାରିଶ କରିବ ବୋଲି ଏଡିଏମ୍‌ କହିଛନ୍ତି । ଅନ୍ୟପକ୍ଷରେ କ୍ଷତିପୂରଣ ଘୋଷଣା ପରେ ଧାରଣାରେ ବସିଥିବା ପରିବାର ଲୋକ ଆନ୍ଦୋଳନରୁ ଓହରିଛନ୍ତି । ଗତ ୨୩ ତାରିଖ ରାତିରେ ଭରତପୁର କୋଇଲା ଖଣିରେ ବ୍ଲାଷ୍ଟିଂ ଯୋଗୁଁ ଘଟିଥିବା ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏସପି ମିତ୍ରଭାନୁ ମହାପାତ୍ର, ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ସମସ୍ତ କୋଇଲା ଖଣି ର ମହାପ୍ରବନ୍ଧକ, ବରିଷ୍ଠ ଅଧିକାରୀ ଗଣ, ମୃତ ଶ୍ରମିକ ମାନଙ୍କ ଉତ୍ତରାଧିକାରୀ ମାନେ, ଖଣି ବନ୍ଦ ଆନ୍ଦୋଳନକରିଙ୍କ ପ୍ରତିନିଧି ମଣ୍ଡଳୀ ଏହି ତ୍ରିପାକ୍ଷିକ ବୈଠକ ରେ ଉପସ୍ଥିତ ଥିଲେ ।
ଆଜକୁ ଏହି ଖଣିବନ୍ଦ ଆନ୍ଦୋଳନ ୧୫ ଦିନରେ ପହଁଚିଥିଲା ବେଳେ ଦୈନିକ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହୋଇଥିବା ଏମସିଏଲ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ପ୍ରତିଦିନ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ନେଇ ପ୍ରଶାସନ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଏବଂ ରାଜନେତା ମାନଙ୍କର ରୁଗଣ ମାନସିକତା ହିଁ ଏକମାତ୍ର କାରଣ ବୋଲି ବୁଦ୍ଧିଜୀବୀ ମହଲରୁ ଜୋର ଚର୍ଚ୍ଚା ଧରିଛି ।
ଆଜି ସକାଳେ ପ୍ରଶାସନ ପକ୍ଷରୁ ଖଣି ଚାଲିବା ପାଇଁ ୪ଟି ଖଣି ଅଞ୍ଚଳରେ ୧୨ ପ୍ଲାଟୁନ ପୋଲିସ ମୃତୟନ କରାଯାଇଥିଲା । ତାଳଚେରର ହିଙ୍ଗୁଳା, ବଳରାମ, ଜଗନ୍ନାଥ ଓ ଅନନ୍ତ କୋଲ ମାଇନ୍ସ ଚାଲିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଖଣି ଅଞ୍ଚଳରେ ପୋଲିସ ଫୋର୍ସ ସହିତ ୪ ଜଣ ମାଜିଷ୍ଟ୍ରେଟ ମଧ୍ୟ ଦାୟିତ୍ୱ ରେ ଥିଲେ ।