କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ଠିକା ସଂସ୍ଥା ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ମନମୁଖୀ କାର୍ଯ୍ୟ ଯୋଗୁଁ ଆଗେଇ ପାରୁନାହିଁ ପ୍ରକଳ୍ପ କାମ । ଅବଧୀ ସରି ବର୍ଷେ ବିତିଲାଣି କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁନି । ଏପ୍ରିଲ ଆରମ୍ଭରୁ ମୁନ୍ଦାଏ ପାଣି ପାଇଁ କରୁଛନ୍ତି ଲୋକେ ସଂଘର୍ଷ ।
ଏପ୍ରିଲ ଆରମ୍ଭରୁ କେଉଠି ନଳକୂପରେ ଗୋଳାପାଣି ବାହାରୁଛି ତୋ ଆଉ କୋଉଠି ବାଲିଚୁଆ ସହ ନଦୀ, ନାଳ ଓ ଚୁଆ ପାଣି ଉପରେ ହିଁ ଲୋକଙ୍କୁ ନିର୍ଭର କରିବାକୁ ପଢୁଛି । ଏହି ସବୁ ଚିତ୍ର ଆସିଛି କଳାହାଣ୍ଡି ଜିଲ୍ଲାର ଜୟପାଟଣା, ଥୁଆମୂଳରାମପୁର ଓ କଲମପୁର ବ୍ଲକର ବିଭିନ୍ନ ଗାଁରୁ । କାରଣ ଏହି ସବୁ ବ୍ଲକରେ ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ଜୟପାଟଣା ବ୍ଲକରେ ୧୫୬କୋଟି, ଥୁଆମୂଳରାମପୁର ବ୍ଲକରେ ୧୦୫କୋଟି ୨୪ ଲକ୍ଷ ଓ କଲମପୁର ବ୍ଲକରେ ୪୭କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । ମେଘା ଇଞ୍ଜିନିୟରିଂ ଲିମିଟେଡ ନାମକ ଏକ ଘରୋଇ କମ୍ପାନୀ ଏହି ସବୁ ପ୍ରକଳ୍ପ ନିର୍ମାଣ କାମ କରୁଥିବା ବେଳେ ଅବଧି ସରି ୭ ମାସ ବିତିଲାଣି କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁନି । କେଉଁଠି ପାଚେରୀ କାମ ଅଧା ନିର୍ମାଣ ହୋଇଛି ତ ଆଉ କେଉଁଠି ପମ୍ପ ଗୃହ କାମ ଅଧାପନ୍ତରିଆ ହୋଇ ପଡିରହିଛି । ପାଣି ଟ୍ୟାଙ୍କ କାମ ମଧ୍ୟ ଆଜି ପର୍ଯ୍ୟନ୍ତ ସରି ପାରୁନାହିଁ । ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କେବେ ମିଳିବ ବିଶୁଦ୍ଧ ପାଣି ତାକୁ ନେଇ ପ୍ରଶ୍ନ କରିଛନ୍ତି ।
ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ଏଭଳି ବିଳମ୍ବ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା କଡରେ ପାଣି ପାଇପ ପଡିରହିଛି ହେଲେ ଏବେବି ଅନେକ ଗାଁକୁ ସଂଯୋଗ ହୋଇପାରିନାହିଁ । ଅନ୍ୟପଟେ ଗାଁ ଓ ବିଭିନ୍ନ ସାହିରେ ପାଇପ ପୋତିବା ପାଇଁ କଂକ୍ରିଟ ରାସ୍ତାକୁ ଜେସିବି ସହାୟତାରେ ଗାତକରି ମରାମତି କରାନଯାଉଥିବାରୁ ଅନେକ ହଇରାଣ ହରକତ ହେଉଛନ୍ତି ଲୋକେ । କାମ ସରିନଥିବାରୁ ନଦୀ, ନାଳ ଓ ଚୁଆ ପାଣି ଉପରେ ହିଁ ଭରସା କରୁଛନ୍ତି ଗ୍ରାମବାସୀ । ସେପଟେ ଏ ନେଇଁ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ନୂତନ ସରକାରଙ୍କୁ ଏ ଦିଗରେ ଦୃଷ୍ଟି ଦେଇ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବାସହ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେବାପାଇଁ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ସରୁଛି ପାନୀୟ ଜଳ ପ୍ରକଳ୍ପ କାମ ଆଉ କେବେ ମିଳୁଛି ଏହି ସବୁ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାଣି ।