ଗୁଳୁଗୁଳିରୁ ମିଳିବ ତ୍ରାହି, ୧୦ରୁ ବର୍ଷିବ ବର୍ଷା

0

(ଶୁଭସ୍ମିତା ଦାଶ): ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇଛି । ଗତ କିଛି ଦିନ ହେବ ଗୁଳୁଗୁଳି ସହ ଗରମ ମଧ୍ୟ ଅନୁଭବ ହେଉଛି । ରାଜ୍ୟରେ ତାପମାତ୍ରା ୩୫ ଓ ୩୬ ଡିଗ୍ରୀ ଉପରେ ରହୁଛି। ଫଳରେ ଗୁଳୁଗୁଳି ଲାଗିରହୁଛି । ଏପରି ଅବସ୍ଥା ଆସନ୍ତା ୮ ତାରିଖ ଯାଏଁ ଲାଗି ରହିବ। । ୮ସୁଦ୍ଧା ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଏଚ.ଆର.ବିଶ୍ୱାସ କହିଛନ୍ତି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଘନୀଭୂତ ହୋଇ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳକୁ ପରବର୍ତ୍ତୀ ୭୨ଘଣ୍ଟାରେ ଅଗ୍ରସର ହେବ। ଏହାର ପ୍ରଭାବରେ ଆସନ୍ତା ୧୦ତାରିଖରୁ ଓଡ଼ିଶା ଉପକୂଳ ଓ ଦକ୍ଷିଣରେ ବର୍ଷାର ସମ୍ଭାବନା ରହିଛି। ଅକ୍ଟୋବର ୧୧ସୁଦ୍ଧା ଲଘୁଚାପ ଓଡ଼ିଶା ଉପକୂଳ ଛୁଇଁବ ଏବଂ ଦକ୍ଷିଣରୁ ଉତ୍ତରକୁ ଗତି କରି ଅବପାତରେ ପରିଣତ ହୋଇପାରେ। ଅକ୍ଟୋବର ୧୨ସୁଦ୍ଧା ଏହା ଓଡ଼ିଶା ଅତିକ୍ରମ କରିବା ନେଇ ଆକଳନ କରାଯାଇଛି।

ଅକ୍ଟୋବର ୧୧ରୁ ୧୩ ଭିତରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, କଟକ, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ବର୍ଷାର ସମ୍ଭାବନା ରହିଛି। ଏହା ପୂର୍ବରୁ ଆସନ୍ତା ୧୨ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ଆରବସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅବପାତରେ ପରିଣତ ହେବା ସହିତ ଉତ୍ତରପଶ୍ଚିମରେ ଗତି କରିବ । ପରବର୍ତ୍ତୀ ୨୪ଘଣ୍ଟାରେ ଅବପାତ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଓମାନ ଉପକୂଳକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।