(ସୌମ୍ୟ ରଜଂନ ସେଠୀ) : ରାଜ୍ୟରେ ସ୍ୱାଭାବିକ ଠାରୁ ହାରାହାରି ୧୩% ଅଧିକ ବର୍ଷା ହୋଇଛି। ବଲାଙ୍ଗୀର, ସୁନ୍ଦରଗଡ ସ୍ଥିତି କିନ୍ତୁ ବେହାଲ। ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, ଲୋଇସିଂହା, ବେଲପଡା ଏବଂ ସୁନ୍ଦରଗଡର ଟାଙ୍ଗରପାଲିରେ ଏବର୍ଷ ଅନାବୃଷ୍ଟି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାଭାବିକ ବର୍ଷା ତ ଦୂରର କଥା ଏହି ୪ଟି ବ୍ଲକରେ ହାରାହାରି ୪୦ରୁ ୫୦% କମ୍ ବର୍ଷା ରେକର୍ଡ ହୋଇଛି। ଆଉ ୧୧ଟି ଜିଲ୍ଲାର ପାଖାପାଖି ୨୭ଟି ବ୍ଲକ ସ୍ଥିତି ବି ଗମ୍ଭୀର। ଏସବୁ ଅଞ୍ଚଳରେ ୨୦ରୁ ୪୦% କମ୍ ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି।
ଓଡ଼ିଶାରୁ ମୌସୁମୀ ଧୀରେ ଧୀରେ ବିଦାୟ ନେବାକୁ ଆରମ୍ଭ କଲାଣି। ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି, ଓଡ଼ିଶାରେ ଏବେ ମୌସୁମୀ ନିଷ୍କ୍ରିୟ ହୋଇଯାଇଛି। କିନ୍ତୁ ମୌସୁମୀ ଫେରିବା ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିବା ଲାଗି ଅକ୍ଟୋବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ସମୟ ନେବ। ଓଡ଼ିଶାରେ ଅକ୍ଟୋବର ତୃତୀୟ ସପ୍ତାହ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆରବ ସାଗରରେ ଏକ ଘୂର୍ଣ୍ଣିଝଡ ସୃଷ୍ଟି ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି। ଏହା ବାତ୍ୟା ରୂପ ନେଇପାରେ ଓ ଅକ୍ଟୋବର ୯ ରୁ ୧୧ ତାରିଖ ମଧ୍ୟରେ ଏହା ଗୁଜୁରାଟ ଉପକୂଳ ଅତିକ୍ରମ କରିବା ସମ୍ଭାବନା ଅଧିକ। ପାଣିପାଗ ବିଭାଗ କହିବାନୁସାରେ,ଜୁନରୁ ସେପ୍ଟେମ୍ବର ୪ମାସ ମଧ୍ୟରେ ରାଜ୍ୟରେ ହାରାହାରି ୧୨.୯% ବର୍ଷା ଅଧିକ ରେକର୍ଡ ହୋଇଛି। ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା (୨୨.୩%), ପାଲଲହଡା(୨୭.୬%), କଣିହାଁ (୩୨.୯%), ବଲାଙ୍ଗୀରର ଡୁଡୁକା (୨୦.୩%),ଖପ୍ରାଖଲେ (୨୦.୭%),ତୁରେଇକେଲା (୨୪.୪%) କମ୍ ବର୍ଷା ହୋଇଛି। ଏହା ସହ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ବର୍ଷା ହୋଇଥିଲା ।