ପବିତ୍ର ସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଚଳିତବର୍ଷ ହାତୀ ବେଶରେ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ

0

ପୁରୀ : ଏହି ଦୁର୍ଲଭ ହାତୀ ବେଶ ପାଇଁ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବେଶ କାରିଗର ତଥା ଶିଳ୍ପୀଙ୍କ ତତ୍ବବଧାନରେ ବେଶ ପ୍ରସ୍ତୁତି କାର୍ଯ୍ୟଜୋରସୋର ଚାଲିଛି। ହାତୀବେଶ ନିର୍ମାଣରେ ଦରଜି ସେବକଙ୍କର ମୁଖ୍ୟ ଭୂମିକା ରହିଛି। ବେଶର ତରାସ ନିର୍ମାଣରେ ଦରଜି ସେବକଙ୍କ ଦାୟିତ୍ଵ ରହିଥିବା ବେଳେ ରଙ୍ଗ ଦେବାରେ ଚିତ୍ରକାରମାନେ ସହଯୋଗ କରୁଛନ୍ତି। ରାଘବ ଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ସେହିପରି ଗୋପାଳତୀର୍ଥ ମଠ ପକ୍ଷରୁ ବଳଭଦ୍ରଙ୍କ ବେଶ ସାମଗ୍ରୀ ଯୋଗାଇ ଦିଆଯିବ । ମହାପ୍ରଭୁଙ୍କ ମସ୍ତକପାଇଁ ତରାସ ଓ ତାହାର ନିମ୍ନ ଅଂଶ ପାଇଁ ଡାଳି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ମୁଖାରବିନ୍ଦରେ ଲାଗି ହେବ କିଆଫାଳି। ସେହିଭଳି ଶ୍ରୀଜୀଉଙ୍କ ପାଇଁ ଚନ୍ଦ୍ରସୂର୍ଯ୍ୟ, ଛାତି, କାନ, ଚିତା, ଯୋଡିହସ୍ତ, ଅଧର, ତୋରଣା ଓ ଗଳଖୁମ୍ ନିର୍ମାଣ କରାଯାଇଛି। ଦେବୀ ସୁଭଦ୍ରାଙ୍କ ପାଇଁ ୨ଟି ତଡଗି ସମେତ ନାକୁଆସୀ, ତରାସ, ଛତି, ଚୁଡ ଓ ଚିତା ଆଦି ବେଶ ଉପକରଣ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପାରମ୍ପରିକ ଶୈଳୀରେ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ବେଶ ନିର୍ମାଣରେ ବାଉଁଶ, ବେତ, କନା, ସୋଲ, ଜରି, ଜମ୍ବରା, କଦଳୀ ପାଟୁକା, ଲେସ ଓ କଇଁଥ ଅଠା ବ୍ୟବହାର କରିଯାଇଛି ।

ସୋଲ ଓ ବାଉଁଶକୁ ସରୁ ସରୁ କଟାଯିବା ପରେ କନା, ଜରି, ଜମ୍ବୁରାରେ ଚତୁଦ୍ଧାମୂର୍ତିଙ୍କ ପାଇଁ ହାତୀ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଅକ୍ଷୟ ତୃତୀୟାଠାରୁ ହାତୀବେଶ ପଟ୍ଟ ନିର୍ମାଣ ଅରମ୍ଭ ହୋଇ ସ୍ନାନ ପୂର୍ଣ୍ଣୀମା ଦିନ ଶେଷ ହେବାର ପରମ୍ପରା ରହିଛି। ଏବେ ହାତୀ ବେଶ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚଛି । ଶନିବାର ଏକାଦଶୀ ତିଥିରେ ପଣାଭୋଗ କରାଯାଇ ବେଶକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଖଞ୍ଜା କାର୍ଯ୍ୟ ଆରମ୍ଭ ହେବ। ସତ୍ୟନାରାୟଣ ବେହେରା, ସନ୍ତୋଷ ମିଶ୍ର, ବାପି ମାଝି, ରଘୁନାଥ ବେହେରା, ଦରଜି ସେବକ ଲୋକନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ଚିତ୍ରକର ରାଜେଶ୍ଵର ମହାପାତ୍ର ବେଶ ସାମଗ୍ରୀ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।