(ଶିଳାସ୍ମିତା ରାୟ) ଭୁବନେଶ୍ୱର: ତାଳଚେରସ୍ଥିତ ଏମସିଏଲ୍ ଭରତପୁର କୋଇଲା ଖଣିରୁ ଆଉ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକର ପରିଚୟ ମିଳିନାହିଁ । ୧୪ଦିନ ପରେ ଏମ୍ସିଏଲ୍ ରେସ୍କ୍ୟୁ ଟିମ୍ ଏହି ମୃତଦେହ ଉଦ୍ଧାର କରିଛନ୍ତି।
ଜୁଲାଇ ୨୩ ତାରିଖରେ ଭରତପୁର କୋଇଲା ଖଣିରେ ରାତି ପ୍ରାୟ ସାଢ଼େ ୧୦ଟାରେ ସିଫ୍ଟ ବଦଳ ସମୟରେ ହଠାତ୍ ବ୍ଲାଷ୍ଟିଂ ହୋଇ ମାଟି ଧସିପଡିଥିଲା । ମାଟି ଗଦା ତଳେ ୧୩ରୁ ଅଧିକ ଶ୍ରମିକ ଚାପି ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଥିଲା ଓ ଅନ୍ୟ ୪ ଜଣ ନିଖୋଜ ଥିଲେ। ପରେ ତିନି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ମାଟି ତଳୁ ଶରୀରର କିଛି ଗଳିତ ଅଂଶ ଉଦ୍ଧାର କରାଯାଇଥିବା ବେଳେ ଏହା ସିକ୍ୟୁରିଟି ଗାର୍ଡ ରମେଶ ଦାଶଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ। ତେଣୁ ଏବେ ଉଦ୍ଧାର ହୋଇଥିବା ମୃତଦେହ କାହାର ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।