ଫେସବୁକରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । କେନ୍ଦ୍ରମନ୍ତ୍ରୀ ଟ୍ରେନରୁ ଅଚାନକ ଗାୟବ ହୋଇ ଆହତ ଅବସ୍ଥାରେ ମିଳିଥିବା ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଫେସବୁକ ପୋଷ୍ଟ ମାଧ୍ୟମରେ ଖଣ୍ଡନ କରିଛନ୍ତି । ଖବର ଅନୁଯାୟୀ, ଜାତୀୟ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାୟବ ହୋଇଯିବାର ଖବର ସାମ୍ନାକୁ ଆସିଥିଲା । ଏମିତିକି କେନ୍ଦ୍ରମନ୍ତ୍ରୀଙ୍କ ହାତଗୋଡ଼ରେ ଆଘାତ ଲାଗିଥିବାର ଖବର ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରେଲୱେ ବିଭାଗର ୩ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ୧୬୨ କି.ମି ଦୂର ସିହୋରା ଷ୍ଟେସନରେ ମନ୍ତ୍ରୀଙ୍କୁ ରେଲୱେ କର୍ମଚାରୀ ଖୋଜିପାଇବାର ଖବର ପ୍ରଥମେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ଜାତୀୟ ଗଣମାଧ୍ୟମ ଅନୁସାରେ , ମନ୍ତ୍ରୀ ଭୋର୍ ୩.୪୫ ସମୟରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ସୁଗାରର ସ୍ତର କମିଯିବାରୁ ଚଳନ୍ତା ଟ୍ରେନରେ ଚଢୁ ଚଢୁ ମନ୍ତ୍ରୀଙ୍କ ପାଦ ଖସି ଯାଇଥିଲା ଏବଂ ତାଙ୍କ ହାତ , ଗୋଡ଼ରେ ଆଘାତ ଲାଗିଥିଲା । ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍ ଆସୁଥିବା ଦେଖି ମନ୍ତ୍ରୀ ଉକ୍ତ ଟ୍ରେନରେ ଚଢ଼ି ଯାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ପିଏଙ୍କ କହିବାନୁସାରେ, ସେ ହରଦୁଆରୁ ଟ୍ରେନରେ ଦେଖିବାକୁ ମିଳିନଥିଲେ । କିନ୍ତୁ ପରେ ଜଣାପଡିଲା ଯେ ଟ୍ରେନ୍ ସେଠାରେ ଅଟକି ହିଁ ନଥିଲା । କିନ୍ତୁ ସକାଳ ୬.୫୫ ସମୟରେ କେନ୍ଦ୍ରମନ୍ତ୍ରୀ ସିହୋରା ଷ୍ଟେସନରେ ମିଳିଥିଲେ । ମନ୍ତ୍ରୀ ଆହତ ଅବସ୍ଥାରେ ମିଳିଥିବା କାରଣରୁ ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଗଲା ଏବଂ ପରେ ଜବଲପୁର ଅଣାଗଲା । ରେଲୱେର ବରିଷ୍ଠ ଡିଏସିଏମ ମଧୁର ବର୍ମା ଏବଂ ସିହୋରାର ଆରପିଏଫ୍ ପୋଷ୍ଟ୍ ପ୍ରଭାରୀ ରାଜୀବ ଖରବଙ୍କ କହିଛନ୍ତି ଯେ ସୂଚନା ମିଳିବା ମାତ୍ରେ ଷ୍ଟାଫଙ୍କୁ ଆଲର୍ଟ କରାଇ ଦିଆଯାଇଥିଲା । ଜବଲପୁର କେନ୍ଦ୍ରମନ୍ତ୍ରୀ ପହଞ୍ଚିବା କ୍ଷଣି ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ମନ୍ତ୍ରୀ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ନିଜ କାମ ପ୍ରତି ସମର୍ପିତ ଅଛନ୍ତି ।