ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ ଟ୍ରେନ୍ରୁ ଗାଏବ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ଟ୍ରେନ୍ରେ ଶନିବାର ରାତିରେ ଚଢିଥିବା ମନ୍ତ୍ରୀ ରବିବାର ସକାଳେ ସିଟରୁ ଅଚାନକ କୁଆଡେ ଚାଲିଯାଇଥିବା ଜଣାପଡିଥିଲା । ରେଲୱେ ବିଭାଗ ତୁରନ୍ତ ଏନେଇ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଲେ । ଦୀର୍ଘ ୩ ଘଣ୍ଟାର ଖୋଜାଖୋଜି ପରେ ସେ ସିହୋରା ଷ୍ଟେସନରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ବସିଥିବା ଦେଖିବାକୁ ମିଳିଲେ । ଜୁଏଲ ଓରାମଙ୍କ ହାତଗୋଡରେ ଆଘାତ ଲାଗିଥିଲା । ଶନିବାର ହଜରତ ନିଜାମୁଦ୍ଦିନ୍ ଷ୍ଟେସନରୁ ଟ୍ରେନରେ ବସିଥିବା ମନ୍ତ୍ରୀଙ୍କ ବର୍ଥ ରବିବାର ଦମୋହଠାରେ ଖାଲି ଦେଖିବାକୁ ମିଳିଥିଲା । ଖୋଜାଖୋଜି ପରେ ରେଲୱେ କର୍ମଚାରୀ ୧୬୨ କି.ମି ଦୂର ସିହୋରା ଷ୍ଟେସନରେ ମନ୍ତ୍ରୀଙ୍କୁ ଖୋଜି ପାଇଲେ । ସେ ସଂପର୍କ କ୍ରାନ୍ତି ଏକ୍ସପ୍ରେସର କୋଚ୍ ନମ୍ବର ବି୩ ରେ ବର୍ଥ ନମ୍ବର ୫୭ ରେ ବସିଥିଲେ ।
ପ୍ରକାଶ ଯୋଗ୍ୟ ଯେ, ମନ୍ତ୍ରୀ ଭୋର୍ ୩.୪୫ ସମୟରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ସୁଗାରର ସ୍ତର କମିଯିବାରୁ ଚଳନ୍ତା ଟ୍ରେନରେ ଚଢୁ ଚଢୁ ମନ୍ତ୍ରୀଙ୍କ ପାଦ ଖସି ଯାଇଥିଲା ଏବଂ ତାଙ୍କ ହାତ , ଗୋଡ଼ରେ ଆଘାତ ଲାଗିଥିଲା । ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍ ଆସୁଥିବା ଦେଖି ମନ୍ତ୍ରୀ ଉକ୍ତ ଟ୍ରେନରେ ଚଢ଼ି ଯାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ପିଏଙ୍କ କହିବାନୁସାରେ, ସେ ହରଦୁଆରୁ ଟ୍ରେନରେ ଦେଖିବାକୁ ମିଳିନଥିଲେ । କିନ୍ତୁ ପରେ ଜଣାପଡିଲା ଯେ ଟ୍ରେନ୍ ସେଠାରେ ଅଟକି ହିଁ ନଥିଲା । କିନ୍ତୁ ସକାଳ ୬.୫୫ ସମୟରେ କେନ୍ଦ୍ରମନ୍ତ୍ରୀ ସିହୋରା ଷ୍ଟେସନରେ ମିଳିଥିଲେ । ମନ୍ତ୍ରୀ ଆହତ ଅବସ୍ଥାରେ ମିଳିଥିବା କାରଣରୁ ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଗଲା ଏବଂ ପରେ ଜବଲପୁର ଅଣାଗଲା । ରେଲୱେର ବରିଷ୍ଠ ଡିଏସିଏମ ମଧୁର ବର୍ମା ଏବଂ ସିହୋରାର ଆରପିଏଫ୍ ପୋଷ୍ଟ୍ ପ୍ରଭାରୀ ରାଜୀବ ଖରବଙ୍କ କହିଛନ୍ତି ଯେ ସୂଚନା ମିଳିବା ମାତ୍ରେ ଷ୍ଟାଫଙ୍କୁ ଆଲର୍ଟ କରାଇ ଦିଆଯାଇଥିଲା । ଜବଲପୁର କେନ୍ଦ୍ରମନ୍ତ୍ରୀ ପହଞ୍ଚିବା କ୍ଷଣି ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ପର୍ୟ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।