ଭଦ୍ରୋଚିତ ବ୍ୟବହାର ଦେଖାଇଲେ ମନ୍ତ୍ରୀ

ଭୁବନେଶ୍ୱର : (ରିପୋର୍ଟସ ଟୁଡେ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନିଜ ଆଚରଣରେ ‘ସଂସ୍କାର’ ଆଣି ବ୍ୟୁରୋକ୍ରାଟ୍ସ ଏବଂ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଯଥୋଚିତ ବ୍ୟବହାର କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ରର ପ୍ରତିଫଳନ ଦେଖିବାକୁ ମିଳିଲାଣି ।

ରାଜ୍ୟରେ ଗଠିତ ନୂତନ ମନ୍ତ୍ରୀମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଭାବେ ପ୍ରୀତିରଞ୍ଜନ ଘଡ଼େଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଉ ତାଙ୍କ ଠାରେ ଦେଖିବାକୁ ମିଳିଛି ଏହି ପରିବର୍ତ୍ତନର ଝଲକ । ନିଜର ଦାୟିତ୍ୱ ବହନ କରିବା ପରେ ଆୟୋଜିତ ହୋଇଥିଲା ବିଭାଗର ପ୍ରଥମ ସମୀକ୍ଷା ବୈଠକ । ଏହି ସମୀକ୍ଷା ବୈଠକରେ ଶ୍ରୀ ଘଡ଼େଇ ଏପରି ସଂସ୍କାରମୂଳକ ଆଚରଣ ଦେଖାଇ ବେଶ ପ୍ରଶଂସା ସାଉଣ୍ଟିଛନ୍ତି । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଘଡ଼େଇ ପ୍ରୋଟୋକଲ ଭାଙ୍ଗିଛନ୍ତି । ନିଜ ପାଇଁ ଉଦ୍ଦିଷ୍ଟ ଚୌକିରେ ସେ ନବସି ଉନ୍ନୟନ ବିଭାଗ ସଚିବ ପି.କେ.ଜେନାଙ୍କୁ ବସିବାକୁ ଦେଇଥିଲେ । ପରେ ପାଖରେ ଥିବା ଅନ୍ୟ ଏକ ଚୌକିରେ ସେ ନିଜେ ବସିଥିଲେ ।

ଶ୍ରୀ ଘଡ଼େଇ ମ୍ୟାନେଜମେଣ୍ଟରେ ଡିଗ୍ରୀଧାରୀ ଇଞ୍ଜିନିୟର । ଜଣେ ଉଚ୍ଚଶିକ୍ଷିତ ହୋଇ ମନ୍ତ୍ରୀ ହେବା ପରେ ସେ ତାଙ୍କ ଆଚରଣରେ ପରିବର୍ତ୍ତନ କରିନଥିଲେ । ସେ ଯେଉଁ ସଂସ୍କାର ନିଜ ପରିବାର ଏବଂ ଲୋକମାନଙ୍କ ଠାରୁ ଶିଖିଥିଲେ, ତ’ର ଏକ ନିଦର୍ଶନ ଦେଖାଇଛନ୍ତି । କାରଣ ସେ ବିଜେଡିର ଜଣେ ବରିଷ୍ଠ ସଦସ୍ୟ, ମିଷ୍ଟଭାଷୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ଅଟନ୍ତି । ତେଣୁ ପ୍ରୀତିରଞ୍ଜନ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପରିବାରରୁ ଯେଉଁ ସଂସ୍କାର ସେ ଶିଖିଛନ୍ତି, ତାର ଏକ ଜ୍ୱଳନ୍ତ ଉଦାହରଣ ଏହି ବୈଠକରେ ଦେଖିବାକୁ ମିଳିଥିଲା । ତେଣୁ ଏପରି ଜଣେ ବ୍ୟକ୍ତିତ୍ୱ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ବେଶ ସୌଭାଗ୍ୟର ବିଷୟ । ଯାହା ଅନ୍ୟମାନଙ୍କୁ ଅନୁପ୍ରାଣୀତ କରିବ ବୋଲି ଆଶା କରାଯାଏ ।