କେନ୍ଦୁଝର-: କେନ୍ଦୁଝରରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଦୁର୍ବୃତ୍ତମାନେ ନାବାଳିକାଙ୍କୁ ହତ୍ୟା କରିବା ପରେ ବେକରେ ଦଉଡ଼ି ବାନ୍ଧି ସଜନାଗଛରେ ଟାଙ୍ଗି ଦେଇଛନ୍ତି । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଛନ୍ତି । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, ନାବାଳିକା ଜଣକ ଗତକାଲି ସନ୍ଧ୍ୟାରେ ଶୌଚ ହେବାପାଇଁ ଘର ପାଖ ପୋଖରୀକୁ ଯାଇଥିଲେ । କିନ୍ତୁ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ଆଉ ଆଜି ସକାଳେ ଘର ପଛପଟ ସଜନାଗଛରେ ତାଙ୍କ ମୃତଦେହ ଝୁଲୁଥିବା ପରିବାର ଲୋକେ ଦେଖିଥିଲେ । ତେବେ ନାବାଳିକାଙ୍କ ବାମଗୋଡ଼ରୁ ରକ୍ତ ଝରୁଥିଲା ଆଉ ଘରଠାରୁ କିଛି ମିଟର ଦୂରରେ ଥିବା ପୋଖରୀ ନିକଟରେ ସାର୍ଟ, ପ୍ଲାଷ୍ଟିକ୍ ଜରି, ମୋବାଇଲ ଫୋନ୍, ନାବାଳିକାଙ୍କ ଅନ୍ତଃବସ୍ତ୍ର ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଜୋର ଜବରଦସ୍ତ ଟେକିନେଇ ପୋଖରୀ ନିକଟରେ ଦୁଷ୍କର୍ମ କରିବା ପରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଶବ ଆଣି ନାବାଳିକାଙ୍କ ବାଡ଼ିରେ ଥିବା ସଜନାଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଖବର ପାଇ ପଣ୍ଡାପଡ଼ା ଥାନା ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛନ୍ତି ଏବଂ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।