ବିଧାୟକଙ୍କ ଗାଲୁଆମୀ

0

ଭୁବନେଶ୍ୱର/ରାଜେଶ ସାହୁ: ଗଣତନ୍ତ୍ର ମନ୍ଦିରରେ ଅଗଣତାନ୍ତ୍ରିକ କାର୍ଯ୍ୟ । ସୀମା ଟପିଲେ ବିଜେପି ବିଧାୟକ । ବାଚସ୍ପତିଙ୍କ ଉପରକୁ ଫିଙ୍ଗିଲେ ହେଡଫୋନ୍, ଡଷ୍ଟବିନ୍ ଓ ଚପଲ । ଏଭଳି କାର୍ଯ୍ୟ ପରେ ବି ଅନୁତପ୍ତ ନୁହଁନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ଓଲଟା ଗଣମାଧ୍ୟମ ଆଗରେ ଗାଲୁଆଙ୍କ ପରି ଯୁକ୍ତି ବାଢ଼ିଛନ୍ତି କି ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା କିଛି ଭୁଲ୍ ନୁହେଁ । ଚପଲ ଫିଙ୍ଗିବା କଣ, ଅନ୍ୟ କିଛି ବି ବାଚସ୍ପତିଙ୍କ ସହ କରିବା ଦରକାର ବୋଲି କହିଛନ୍ତି ବିଷ୍ଣୁ । ସେ ନିଜେ ହେଡଫୋନ୍ ଓ ପେନ୍ ଫୋପାଡ଼ିଥିବା କହିଛନ୍ତି । ନିଜ କାଣ୍ଡ କାରଖାନାକୁ ନେଇ ଅନୁତପ୍ତ ହେବା ପରିବର୍ତ୍ତେ ବିଧାୟକ ଓଲଟା ସାମ୍ବାଦିକଙ୍କ ଉପରେ ଖପ୍ପା ହୋଇଛନ୍ତି ।
ଘରୋଇ ଚ୍ୟାନେଲ ରିପୋର୍ଟରଙ୍କ ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ପଡ଼ିଛନ୍ତି ବିଷ୍ଣୁ । ବିଧାୟକଙ୍କ ଏଭଳି କାର୍ଯ୍ୟରୁ ନୂଆ କରି ବିଧାନସଭା ଆସିଥିବା ୬୦ ଜଣ ବିଧାୟକ କଣ ଶିଖିବେ ବୋଲି ପଚରାଯିବାରୁ ବିଷ୍ଣୁ ସାମ୍ବାଦିକଙ୍କୁ ତୁ ତା କରିବା ସହ ତୁ ଖେଞ୍ଚିକି ଆଉ ବାହାର କରନା ବୋଲି କହିଥିଲେ । ଏମିତି ତୁ ଉସୁକାନା, ତୋ ଡବଲ ବୟସ ମୋତେ ହେଲାଣି, ମୋତେ ଆଉ ଉସୁକାନାରେ ଭଳି ଶବ୍ଦ ରିପୋର୍ଟରଙ୍କୁ କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ବିଧାୟକଙ୍କ ଏଭଳି ଆଚରଣକୁ ସବୁ ମହଲରେ ନିନ୍ଦା କରାଯାଇଛି ।