ପୁରୀ : (ସୁନୀଲ ଓଝା ) ଶ୍ରୀଜିଉଙ୍କ ଦର୍ଶନ ପରେ ସାନିଧ୍ୟ ଲାଭ କଲେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ସିଂହଦ୍ଵାରରେ ପହଞ୍ଚିବା ପରେ ମୋହନ ଭାଗବତଙ୍କୁ ସେବାୟତଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ସହ ବିମଳା ମନ୍ଦିର,ଲକ୍ଷ୍ମୀ ମନ୍ଦିର, ଆନନ୍ଦ ବଜାର ଓ ସ୍ନାନବେଦୀ ଦର୍ଶନ କରିଥିଲେ ଶ୍ରୀ ଭାଗବତ। ଶ୍ରୀମନ୍ଦିରରୁ ଫେରିବା ସମୟରେ ସେ କାଶୀ ବିଶ୍ଵନାଥ ଓ ପତିତ ପାବନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ସେବାୟତ ମଧୁସୂଦନ ସିଂହାରୀ କହିଛନ୍ତି, ବାଂଲାଦେଶରେ ଚାଲିଥିବା ସାମ୍ପ୍ରତିକ ପରିସ୍ଥିତିରେ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଥିଲେ । ରାଷ୍ଟ୍ରର ମଙ୍ଗଳ ତଥା ହିନ୍ଦୁ ମାନଙ୍କ ମଙ୍ଗଳ କାମନା କରି ସେ ମହାବାହୁଙ୍କ ନିକଟରେ ଦୀପଦାନ ମଧ୍ୟ କରିଛନ୍ତି ବୋଲି ସେବାୟତ ପ୍ରତିକ୍ରିୟା ରଖିଛନ୍ତି । ପ୍ରାୟ ୪୫ ମିନିଟ୍ କାଳ ଶ୍ରୀମନ୍ଦିରରେ ରହିବା ସହ ରାଷ୍ଟ୍ରର ମଙ୍ଗଳ କାମନା କରିଛନ୍ତି । ସେହିଭଳି ନୀଳଚକ୍ରରେ ତାଙ୍କ ନାମରେ ନେତ ବନ୍ଧା ଯାଇଛି । ୫ ଦିନିଆ ଓଡିଶା ଗସ୍ତରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ସେ ରହିବା ସହ ଅପରାହ୍ନ ୫ ଟାରେ ପୁରୀ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ । ଅଗଷ୍ଟ ୧୦ ଓ ୧୧ ତାରିଖରେ ପୁରୀରେ ସଂଘର ପ୍ରାନ୍ତ ସେବା ପ୍ରମୁଖ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମଧ୍ୟ ଶ୍ରୀଯୁକ୍ତ ମୋହନ ଭାଗବତ ଯୋଗଦେବେ ।