କେରଳରେ ମୃତ୍ୟୁର ତାଣ୍ଡବ : ୧୦୬ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

0

ୱାୟନାଡ : କେରଳର ୱାୟନାଡରେ ପ୍ରକୃତିର ଭୟଙ୍କର ରୂପ । ପ୍ରବଳ ବର୍ଷା ପରେ ୱାୟନାଡର ମେପାଡ୍ଡି, ମୁଣ୍ଡାକ୍କାଲ ଏବଂ ଚୁରଲମାଲା ଅଞ୍ଚଳର ଅନେକ ଘର ଭୂସ୍ଖଳନ ଯୋଗୁଁ ମାଟି ତଳେ ପୋତି ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କରିଛି । ଦୁଃଖର ବିଷୟ ହେଲା ଘଣ୍ଟାକୁ ଘଣ୍ଟା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଉଦ୍ଧାରକାର୍ଯ୍ୟ ପାଇଁ ସେନା କର୍ମଚାରୀ ଓ ଏନଡିଆରଏଫ୍ ଯବାନମାନେ ନିୟୋଜିତ ହୋଇଛନ୍ତି । ଏହି ଦୁଃଖଦ ଘଟଣା ପରେ କେରଳ ସରକାର ଦୁଇ ଦିନ ଶୋକ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ ଏବେ ବି ଅନେକ ଲୋକ ମାଟି ତଳେ ଦବି ରହିଛନ୍ତି । ୱାୟନାଡରେ ଏପରି ମୃତ୍ୟୁର ତାଣ୍ଡବ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଯେଉଁ ସ୍ଥାନ ସବୁଜ ବନାନୀରେ ପରିପୂର୍ଣ୍ଣ ଥିଲା, ଏବେ ସେଠି ଖାଳି ମାଟି ହିଁ ମାଟି ଦେଖାଦେଇଛି । ଆଉ ଘଟଣାସ୍ଥଳରେ ଲୋକଙ୍କର କାନ୍ଦଣା ଶୁଭୁଛି । ଯେଉଁଠାରେ ପୂର୍ବରୁ ଜନବସତି ରହିଥିଲା, ବର୍ତ୍ତମାନ କେବଳ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି ।

ସେପଟେ ବିପର୍ଯ୍ୟୟ ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରାଯାଇଛି । ରେସକ୍ୟୁ ଅପରେସନ ପାଇଁ ସବୁ ପ୍ରକାର କେନ୍ଦ୍ରୀୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପିଏମ୍ ।

ସୂଚନା ଅନୁସାରେ, ଗତକାଲି ରାତିରୁ ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ଏଥିରେ ପାହାଡିଆ ଅଞ୍ଚଳ ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ବିଶେଷ ଭାବେ ପ୍ରଭାବିତ ହୋଇଛି।

ଏହି ତିନି ଗାଁର ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପରିବାର ମାଟି ତଳେ ଚାପି ହୋଇ ଯାଇଥିବା କୁହାଯାଉଛି। ଖବର ପାଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଟିମ୍ ସହ ଅଗ୍ନିଶମ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାରଇପାରେ ବୋଲି ଆଶଙ୍କା କରାଯାଉଛି।