ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୋଲିସ ବଡ଼ ସଫଳତା । ବେଆଇନ ଭାବେ ଚୋରା ଚାଲାଣବେଳେ ଦେଢ଼ ଶହରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଆନନ୍ଦପୁର ଏଡିପିଓଙ୍କ ନେତୃତ୍ୱରେ ବ୍ରିଜ ଛକ ଓ କୋଡ଼ପଡ଼ା ନିକଟରେ ଚଢ଼ାଉ କରାଯାଇଥିଲା । ଦୁଇଟି ୧୬ଚକିଆ ଟ୍ରକ ଓ ଦୁଇଟି ପିକ୍ଅପ୍ ଭ୍ୟାନ୍ରୁ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଆନନ୍ଦପୁର ଅଞ୍ଚଳର ବିଭିନ୍ନ ସ୍ଥାନରୁ ଗୋରୁ ଗୁଡ଼ିକୁ କିଣାଯାଇ ବିଭିନ୍ନ ସ୍ଥାନରେ ରଖା ଯାଇଥିବାବେଳେ ଆଜି ଭୋର ସମୟରେ କରଞ୍ଜିଆ ରାସ୍ତା ଦେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା । ଠିକ୍ ସମୟରେ ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଘଟଣାରେ ସମ୍ପୃକ୍ତ ୧୦ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ଆନନ୍ଦପୁର ପୋଲିସ ।