ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ATS ସହଯୋଗରେ ସମୁଦ୍ରରେ ଏକ ଗୁପ୍ତଚର ଆଧାରିତ ଆଣ୍ଟି ନାର୍କୋଟିକ୍ସ ଜଏଣ୍ଟ ଅପରେଶନ ଚଳାଇଥିଲା। ଏହି ମିଳିତ ଅଭିଯାନରେ, ପ୍ରାୟ ୧,୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମରୁ ଅଧିକ ନିଶାଦ୍ରବ୍ୟ ଜବତ କରାଯାଇଛି। ଏହି ଅପରେସନରେ ଉଦ୍ଧାର ହୋଇଥିବା ନିଶାଦ୍ରବ୍ୟ ମେଥାମ୍ଫେଟାମାଇନ ବୋଲି ସନ୍ଦେହ କରାଯାଉଛି।
ସମୁଦ୍ର ମଝିରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସ୍ ଦ୍ୱାରା କରାଯାଇଥିବା ଏହି ମିଳିତ ଅପରେସନ ଆନ୍ତଃ-ଏଜେନ୍ସି ସମନ୍ବୟର ଏକ ଉତ୍କୃଷ୍ଟ ଉଦାହରଣ ଥିଲା। ଏହି ଅପରେସନ ଗୁଜରାଟ ଏଟିଏସରୁ ମିଳିଥିବା ସୂଚନା ଆଧାରରେ, ଭାରତୀୟ ତଟରକ୍ଷୀ ବାହିନୀ ସମୁଦ୍ରରେ ଏକ ସନ୍ଦିଗ୍ଧ ଡଙ୍ଗାକୁ ଅଟକାଇଥିଲା ଏବଂ ସେଥିରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଥିଲା।
ଏହି ସଫଳତାପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେନ୍ଦ୍ର ଗୃହମନ୍ତ୍ରୀ ଲେଖିଛନ୍ତି ଯେ, ନିଶା ମୁକ୍ତ ଭାରତ ନିର୍ମାଣର ନିରନ୍ତର ଅନୁସନ୍ଧାନରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ୧,୮୦୦କୋଟି ଟଙ୍କା ମୂଲ୍ୟର ୩୦୦କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରି ଏକ ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ନରେନ୍ଦ୍ର ମୋଦୀ ସରକାର ଡ୍ରଗ୍ ନେଟୱାର୍କକୁ ମୂଳୋତ୍ପାଟନ ପାଇଁ କଠୋର ନିଷ୍ପତ୍ତି ନେଇଛନ୍ତି।