ଥାନାରେ ସର୍ବାଧିକ ମାନବାଧିକାର ଉଲ୍ଲଙ୍ଘନ ହେଉଛି: ପ୍ରଧାନ ବିଚାରପତି

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣ ଥାନା ହାଜତରେ ଅଭିଯୁକ୍ତକୁ ନିର୍ୟାତନାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଥାନା ହାଜତରେ ଅଭିଯୁକ୍ତଙ୍କ ପ୍ରତି ନିର୍ଯାତନା ମାନବାଧିକାରର ସର୍ବାଧିକ ଉଲ୍ଲଙ୍ଘନ। ରବିବାର ଭାରତ ଜାତୀୟ ନ୍ୟାୟିକ ସେବା କର୍ତ୍ତୃପକ୍ଷ (ଏନଏଏଲଏସଏ) ଦ୍ବାରା ଆୟୋଜିତ ଏକ କାର୍ୟ୍ୟକ୍ରମରେ ଜଷ୍ଟିସ ରମଣ କହିଛନ୍ତି ଯେ ସାମ୍ବିଧାନିକ ଘୋଷଣା ଓ ପ୍ରତିଶ୍ରୁତି ସତ୍ତ୍ବେ ଥାନା ହାଜତରେ ଅଭିଯୁକ୍ତଙ୍କୁ ଶାରୀରିକ ଓ ମାନସିକ ନିର୍ୟାତନା ଦିଆଯାଉଛି। ଏପରିକି ସମାଜର ଉଚ୍ଚ ବର୍ଗର ନାଗରିକ ମଧ୍ୟ ଏହି ମାନବାଧିକାର ଉଲ୍ଲଙ୍ଘନର ଶିକାର ହେଉଛନ୍ତି। ଥାନାଗୁଡିକରେ ନ୍ୟାୟିକ ପ୍ରତିନିଧିତ୍ବର ଅଭାବ ରହିଛି।
ଜଷ୍ଟିସ ରମଣ ଆହୁରି କହିଛନ୍ତି ଯେ ସମାଜର ଉଚ୍ଚ ବର୍ଗ ଓ ଅବହେଳିତ ବର୍ଗଙ୍କ ମଧ୍ୟରେ ନ୍ୟାୟ ପ୍ରଦାନରେ କୌଣସି ତାରତମ୍ୟ ରହିବା ଉଚିତ ନୁହେଁ। ପୁଲିସର ମାନବାଧିକାର ଉଲ୍ଲଙ୍ଘନକୁ ରୋକିବା ଲାଗି ଲୋକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ ନ୍ୟାୟିକ ସେବା ଏବଂ ସୁବିଧା ବାବଦରେ ସଚେତନ କରାଯିବା ଦରକାର। ଏଥିପାଇଁ ପ୍ରତ୍ୟେକ ଥାନା ଓ କାରାଗାର ସମ୍ମୁଖରେ ସୂଚନା ଫଳକ ରଖାଯିବା ଆବଶ୍ୟକ। ଏହା ସହିତ ଡାକ ଯୋଗାଯୋଗ ମାଧ୍ୟମରେ ଲୋକଙ୍କୁ ମାଗଣାରେ ମିଳୁଥିବା ନ୍ୟାୟିକ ସେବା ସମ୍ପର୍କରେ ସଚେତନ କରାଯିବା ଦରକାର। ଏହି ଅବସରରେ ପ୍ରଧାନ ବିଚାରପତି ଏନଏଏଲଏସଏ ପକ୍ଷରୁ ଏକ ମୋବାଇଲ ଆପ୍ଲିକେସନ ସେବାକୁ ଶୁଭାରମ୍ଭ କରିଥିଲେ।