ମୋଷ୍ଟ ୱାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା

0

କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ଗୁରୁଦ୍ୱାରା ନିକଟରେ ଥିବା ପାର୍କିଂ ସ୍ଥଳରେ ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତାଙ୍କ ସହ ଆଉ ଦୁଇ ଜଣ ଥିଲେ। ବର୍ତ୍ତମାନ ତଦନ୍ତକାରୀ ଏଜେନ୍ସିମାନେ ଆକ୍ରମଣକାରୀଙ୍କ ପରିଚୟ ସଂଗ୍ରହ କରିବାରେ ଲାଗିଛନ୍ତି ।

କାନାଡା ଅନ୍ତର୍ଗତ ବ୍ରିଟିଶ୍ କଲମ୍ବିଆ ପ୍ରଦେଶର ପଞ୍ଜାବୀ ସମ୍ପ୍ରଦାୟ ବହୁଳ ସରି ନଗରୀସ୍ଥିତ ଗୁରୁ ନାନକ ଶିଖ୍ ଗୁରୁଦ୍ବାରରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେ ସରି ନଗରୀ ଗୁରୁ ନାନକ ଶିଖ୍ ଗୁରୁଦ୍ବାରର ଅଧ୍ୟକ୍ଷ ଥିଲେ । ନିକଟରେ ଭାରତ ସରକାରଙ୍କ ତରଫରୁ ଜାରି ହୋଇଥିବା ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ନିଜ୍ଜରଙ୍କ ନାମ ସାମିଲ ରହିଥିଲା । ଏହି ଲିଷ୍ଟରେ ୪୦ ଅନ୍ୟ ଆତଙ୍କୀଙ୍କ ନାମ ରହିଛି । ତେବେ ନିଜ୍ଜରଙ୍କୁ କେଉଁ ସଂଗଠନ ହତ୍ୟା କରି ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଭାରତରେ ଅନେକ ହିଂସା ଏବଂ ଅପରାଧ ମାମଲାରେ ତାଙ୍କ ନାମ ଜଡିତ ଥିଲା । ନିଜ୍ଜର ବହୁ ବର୍ଷ ଧରି କାନାଡାରେ ରହୁଥିଲେ ଏବଂ ସେଠାରୁ ଭାରତ ବିରୋଧରେ ଖଲିସ୍ତାନୀ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିଲେ। ଗତ ବର୍ଷକ ମଧ୍ୟରେ ଭାରତୀୟ ତଦନ୍ତକାରୀ ଏଜେନ୍ସିମାନଙ୍କ ପାଇଁ ନିଜ୍ଜର ଆହୁରି ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ। ୨୦୨୨ରେ ପଞ୍ଜାବର ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କୁ ହତ୍ୟା କରାଯିବା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ନିଜ୍ଜରଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଏନଆଇଏ ଘୋଷଣା କରିଥିଲା।

ଭାରତରେ ନିଷିଦ୍ଧ କରାଯାଇଥିବା ଶିଖ୍ସ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ) ନାମକ ବିଚ୍ଛିନ୍ନତାବାଦୀ ସଙ୍ଗଠନ ସହିତ ତାଙ୍କର ସଂପୃକ୍ତି ରହିଥିଲା । ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ନିଜ୍ଜରଙ୍କ ନାମରେ ନ୍ୟାସନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସୀ ପୂର୍ବରୁ ଚାର୍ଜସିଟ୍ ଦାଖଲ କରିଥିଲା। ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟରମାନଙ୍କୁ ବିଦେଶରୁ ଲଜିଷ୍ଟିକ୍ ଏବଂ ଟଙ୍କା ଯୋଗାଇବା ଆରମ୍ଭ କରିଥିଲେ। କିଛି ଦିନ ତଳେ ଭାରତ ସରକାର ହରଦୀପ ସିଂହ ନିଜ୍ଜରଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲେ। କିଛି ମାସ ତଳେ ନିଜ୍ଜରଙ୍କ ଦୁଇ ସହଯୋଗୀଙ୍କୁ ଫିଲିପାଇନ୍ସ ଓ ମାଲେସିଆରୁ ଗିରଫ କରାଯାଇଥିଲା।

ତେବେ ନିକଟରେ ଖଲିସ୍ତାନୀ ଆନ୍ଦୋଳକୁ ନେଇ ଭାରତୀୟ ଏଜେନ୍ସୀ ଲଗାତାର କାମ କରୁଛି । ପଞ୍ଜାବ ଏ ୱାରିସ ସଂଗଠନର ମୁଖ୍ୟ ଅମ୍ରିତପାଲ ଏବଂ ତାଙ୍କ ସମର୍ଥକଙ୍କୁ ଗିରଫ କରାଯାଇଛି । ଯାହା ପରେ କାନାଡା ଏବଂ ବାକି ଦେଶରେ କାମ କରୁଥିବା ଅନ୍ୟ ଖଲିସ୍ତାନୀ ସମର୍ଥକଙ୍କୁ ବଡ ଝଟକା ଲାଗିଛି । ଏହାଛଡା ଅମ୍ରିତପାଲର ନିକଟ ସହଯୋଗୀ ତଥା ଖଲିସ୍ତାନୀ ସମର୍ଥନ ଅବତାର ସିଂ ଖାଣ୍ଡା କ୍ୟାନସରରେ ମୃତ୍ୟୁବରଣ ହୋଇଛି ।