ଭୁବନେଶ୍ୱର:ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ ନେଇ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଫଳରେ ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ସମ୍ମୀଶ୍ରଣ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଣିବ ନୁତନ ସଂଚାର, ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ଏହା ପ୍ରୋତ୍ସାହିତ କରିବ । ଡାକ୍ତରୀ ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନୁଷ୍ଠାନ ଏକାଧିକ ସ୍ବଳ୍ପକାଳୀନ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ଯୋଜନା କରା ଯାଇଛି । ବିଭିନ୍ନ ଜଟିଳ ରୋଗର ତ୍ବରିତ ନିରୂପଣ ଏବଂ ପୂର୍ବାନୁମାନ କରିବାରେ ଏହା ଉପଯୋଗୀ ହେବ ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ପ୍ରଥମ କରି ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଗତକାଲି ହୋଇଥିବା ଏହି ବୁଝାମଣା ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମ୍ମୀଶ୍ରଣ ଘଟିବ। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କରମାଲକର ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି।
ସାଧାରଣଲୋକଙ୍କ ହିତ ପାଇଁ ଉଭୟ ଅନୁଷ୍ଠାନ ରୋଗର ତ୍ବରିତ ଚିହ୍ନଟ, ଶୀଘ୍ର ନିରାକରଣ, କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଏବଂ ତଥ୍ୟର ବିଶ୍ଳେଷଣ, ଜୈବ ପ୍ରାଦ୍ୟୋଗିକ ଜ୍ଞାନକୌଶଳ, ରୋଗର ପୂର୍ବାନୁମାନ କୌଶଳ ସୃଷ୍ଟି, ଡିଜିଟାଲ ସ୍ୱାସ୍ଥ୍ୟ, ଚିକିତ୍ସା କ୍ଷେତ୍ର ନିମନ୍ତେ ବିଭିନ୍ନ ଉପକରଣର ବିକାଶ ଏବଂ ଏହି କ୍ଷେତ୍ରରେ ଉନ୍ନତ ଗବେଷଣା ନିମନ୍ତେ ସହଯୋଗ କରିବାକୁ ସହମତ ହୋଇଛନ୍ତି।
ରାଜ୍ୟରେ ପ୍ରଥମ କରି ହୋଇଥିବା ଏପରି ପ୍ରୟାସ ଜନସ୍ୱାସ୍ଥ୍ୟ ଏବଂ ରୋଗୀ ଚିକିତ୍ସା କ୍ଷେତ୍ରରେ ରହିଥିବା ବିଭିନ୍ନ ଆହ୍ବାନଗୁଡ଼ିକର ସମାଧାନ ପାଇଁ ନୂତନ ମାର୍ଗ ପ୍ରସ୍ତୁତ କରିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ରୋଗର ନିରାକରଣ ଏବଂ ଚିକିତ୍ସାରେ ବେଶ ସହାୟକ ହେବବୋଲି ଏମ୍ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ଏହି ବୁଝାମଣା ଫଳରେ ବିଭିନ୍ନ ରୋଗର ଚିହ୍ନଟ, ଚିକିତ୍ସାଉପକରଣ, ଆପ୍, ପରିଧାନଯୋଗ୍ୟ ସେନ୍ସର ବିକାଶ, ପ୍ରତିଛବିଭିତ୍ତିକ ନିରାକରଣ(ଇମେଜିଂ) ଆଦି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗକୁ ସୁଦୃଢ଼ କରିବ। ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏପରି ବୁଝାମଣାକୁ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍ ମାଣ୍ଡଭିୟ ସର୍ବଦା ଉତ୍ସାହିତ କରିଥାଆନ୍ତି। ସଫତଳାର ସହିତ ଏହି ଏମଓୟୁ ସ୍ବାକ୍ଷରିତ ହେବାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ତେଣୁ ଉଭୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଡ. ବିଶ୍ବାସ।