ରାଇରଙ୍ଗପୁର: (ସତ୍ୟନାରାୟଣ ପଲ ) କଟକ ସାଂସଦ ଭର୍ତ୍ତୃହରି ମହତାବ ମୟୂରଭଞ୍ଜ ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେଓଙ୍କୁ ଦୋଷାରୋପ କରିବା ଘଟଣାକୁ ପ୍ରତିବାଦ କରି ଆଜି ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା) ପକ୍ଷରୁ ବାରିପଦାସ୍ଥିତ ମୁର୍ଗାବାଡିଠାରେ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ସାଂସଦ ମହତାବଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉଲ୍ଲେଖଯୋଗ୍ୟ ଗତକାଲି ସାଂସଦଙ୍କ ଲେଖା ଅନୁସାରେ “ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ବାରମ୍ବାର ଅନୁରୋଧକ୍ରମେ କଟକ କଲେଜର ନାମ ପରିବର୍ତ୍ତନ କରାଯାଇ ରେଭେନ୍ସା କଲେଜ କରାଗଲା କାହିଁକି ? ଏହା କ’ଣ ବାଦାମପାହାଡ଼ ଅଞ୍ଚଳକୁ ମୟୂରଭଞ୍ଜ ଗଡ଼ଜାତରୁ ବାଦ୍ ଦେଇ ପ୍ରତ୍ୟକ୍ଷ ଇଂରେଜ ଶାସନାଧୀନ କରିବା ନିଷ୍ପତ୍ତିର ପୁନର୍ବିଚାର ପାଇଁ ଅଭିପ୍ରେତ ଥୂଲା ? କେନ୍ଦୁଝର ରାଜଗାଦି ନିଜ ଅକ୍ତିଆରକୁ ନେବାଲାଗି ଭଞ୍ଜଦେଓଙ୍କ ଉଦ୍ୟମ କ’ଣ ଥିଲା ଏ ଏପରି କରିବାର କାରଣ ? ” ସାଂସଦଙ୍କ ଏହିଭଳି ମନ୍ତବ୍ୟଙ୍କୁ ଦୃଢ଼ ନିନ୍ଦା କରାଯିବା ସହ ତୀବ୍ର ବିରୋଧ କରାଯାଇଛି । ମୟୂରଭଞ୍ଜର ରାଜସ୍ବରେ ଓଡିଶାର ଭିତ୍ତିଭୂମି ସ୍ଥାପିତ ହେଲାପରେ ଏ ପ୍ରକାର ଘଟଣା ମୟୂରଭଞ୍ଜ ବାସୀଙ୍କୁ ଆଘାତ ଦେଇଛି । ବ୍ରିଟିଶ୍ ରାଜ୍ ସମୟରେ ଏକଦା ଓଡିଶାର ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁଁ ସୁଦୂର କଲିକତା ଯିବାକୁ ପଡୁଥିଲା । ଏହି ସମସ୍ୟାକୁ ଦୂର କରି ଓଡିଶାମାଟିରେ ଉଚ୍ଚଶିକ୍ଷାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁଁ ତତ୍କାଳୀନ କମିଶନର ଥୋମାସ୍ ଏଡ୍ ଡ୍ୱାର୍ଡ ରେଭେନ୍ସାଙ୍କ ଉଦ୍ୟମ ନିଶ୍ଚିତ ପ୍ରଶଂସନୀୟ । ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରସ୍ତାବ କ୍ରମେ ୧୮୭୮ ମସିହାରେ ଏହି କଲେଜ୍ ର ନାମକୁ ରେଭେନ୍ସା ମହାବିଦ୍ୟାଳୟରେ ପରିବର୍ତ୍ତନ କରାଯାଇଥିଲା । ଗଡ଼ଜାତ ଅଞ୍ଚଳର ରାଜା ମହାରାଜାଙ୍କ ଅବଦାନ ଯୋଗୁଁ ହିଁ ରେଭେନ୍ସା କଲେଜର ଭିତ୍ତିଭୂମି ଗଢ଼ି ଉଠିଛି । ସେ ସମୟରେ ମୟୂରଭଞ୍ଜ ମହାରାଜା ୨୦,୦୦୦ ହଜାର ଟଙ୍କା ଅବଦାନ ପ୍ରଦାନ କରିଥିଲେ । ମଧୁସୂଦନ ଦାସ, ଗୋପବନ୍ଧୁ ଦାସ , ଆଚାର୍ଯ୍ଯ ହରିହର ଦାସ, ନୀଳକଣ୍ଠ ଦାସ, ଗୋଦାବରିଶ ମିଶ୍ର ଭଳି ପ୍ରବୀଣ ଲେଖକ ହେଉ କିମ୍ଵା ପ୍ରାଣକୃଷ୍ଣ ପରିଜା , ଯଦୁନାଥ ସରକାର , ସାର୍ ରସ୍ ମାସୁଦ୍ , ଭୂବନାନନ୍ଦ ଦାସ ଭଳି ବୈଜ୍ଞାନିକ ବା ବିଶ୍ଵନାଥ ଦାସ, ବିଜୁ ପଟ୍ଟନାୟକ, ନୀଳମଣୀ ରାଉତରାୟ, ନଳିନୀ ଶତପଥି, ଜାନକିବଲ୍ଲଭ ପଟ୍ଟନାୟକ ଭଳି ଓଡିଶାର ନେତୃତ୍ୱ ନେଇଥିବା ରାଜନେତାମାନେ ମଧ୍ୟ ଏହି କଲେଜରେ ପାଠପଢ଼ିଥିଲେ । ତେଣୁ ରେଭେନ୍ସା କଲେଜ୍ ସହ ଏକ ଲମ୍ବା ଇତିହାସ ଜଡିତ । ଏହାର ନାମକୁ ପରିବର୍ତ୍ତନ କରିବାର ଅହେତୁକ ତର୍କ ସୃଷ୍ଟି କରିବା କେବଳ ହୀନମାନ୍ୟତା ତଥା ସଂକୀର୍ଣ୍ଣ ଚିନ୍ତାଧାରାର ପରିଚୟ ବୋଲି ମାରିସା ପକ୍ଷରୁ ପ୍ରକାଶ କରାଯାଇଛି । ଏହା ସତ୍ୟ ଯେ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷରେ ଲକ୍ଷଲକ୍ଷ ଲୋକ ମରିଥିଲେ , କିନ୍ତୁ ସେଥିପାଇଁ ରେଭେନ୍ସା ସାହେବଙ୍କୁ ଦୋଷ ଦେବା କେତେ ସମୀଚିତ ? ଭାରତରେ ବିରୋଧି ଦଳର କିଛି ନେତାଙ୍କ ସତର୍କବାଣୀ ସତ୍ତ୍ୱେ ମୋଦି ସରକାର ସଠିକ୍ ପଦକ୍ଷେପ ନ ନେବାରୁ ଭାରତରେ ୧୫୨ ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ଘଟିବା ପାଇଁ ନରେନ୍ଦ୍ର ମୋଦୀକୁ ଦାୟୀ କରାଯିବ କି ? ସାଂସଦ ମହୋଦୟ କ୍ଷମା ପ୍ରାର୍ଥନା କରିବାକୁ ଦାବୀ କରିବା ସହ ଏପରି ମନ୍ତବ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମାରିସାର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ମୟୂରଭଞ୍ଜ ଜିଲ୍ଲା ସଭାପତି ତୋଫାନ୍ ହେମ୍ବ୍ରମ୍, ଉପ ସଭାପତି ରବିନ୍ଦ୍ର ମାର୍ଣ୍ଡି ଏବଂ ନବ ମାର୍ଣ୍ଡି , ଛାତ୍ର ସଭାପତି ଶ୍ୟାମ ସୁନ୍ଦର ହାଁସଦାଃ,ଶିଶିର ସିର୍କା, କାର୍ତିକ ସିଂ, ଚନ୍ଦ୍ର ବିନ୍ଧାଣୀ, ଦୀପକ ସୋରେନ, ଦୀନବନ୍ଧୁ ନାଏକ, ସୁଜିତ ସୋରେନ ଉପସ୍ଥିତ ଥିଲେ ।