ଅନଲାଇନ୍ ସପିଂ ସାଇଟରୁ ୫୫,୦୦୦ ଟଙ୍କିଆ ଫୋନ୍ ମଗାଇଥିଲେ, ଆସିଲା ଚା’ କପ୍

0

ମୁମ୍ବାଇ : ଅନଲାଇନ୍ ସପିଂ ସାଇଟରେ ପୁଣି ଠକେଇ ଅଭିଯୋଗ । ଦାମିକିଆ ଫୋନ୍ ମଗାଇଥିଲେ ଇଞ୍ଜିନିୟର, ହେଲେ ଘରେ ପାର୍ସଲ ଖୋଲିଲା ବେଳକୁ ବାହାରିଲା ଚା’ କପ୍ । ଏନେଇ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମୁମ୍ବାଇ ବିଦ୍ୟୁତ୍ ବିଭାଗରେ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଥିବା ଅମର ଚଭନ ନାମକ ଜଣେ ବ୍ୟକ୍ତି ଅନଲାଇନ୍ ରେ ୫୫ ହଜାର ଟଙ୍କାର ଏକ ଦାମୀ ମୋବାଇଲ ଫୋନ୍ ଅର୍ଡର କରିଥିଲେ। ସେଥିପାଇଁ ସେ ଆଗୁଆ ଟଙ୍କା ମଧ୍ୟ ପଇଠ କରିଥିଲେ। ତେବେ ତାଙ୍କ ନିକଟକୁ ଯେଉଁ ପାର୍ସଲଟି ପହଞ୍ଚିଥିଲା ତାହାକୁ ଦେଖି ତାଙ୍କ ହୋସ୍ ଉଡ଼ି ଯାଇଥିଲା।

ଦାମୀ ମୋବାଇଲ ବଦଳରେ ପାର୍ସଲରେ ଏକ ଚା’ କପ୍ ସେଟ୍ ରହିଥିଲା। ଏ ନେଇ ସେ ତୁରନ୍ତ ସଂପୃକ୍ତ ଅନ୍ଲାଇନ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସଂସ୍ଥା ତରଫରୁ ଆଶ୍ବାସନା ଦିଆଯାଇଥିଲା।

ହେଲେ ଦୀର୍ଘ ଦିନ ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ବାଧ୍ୟ ହୋଇ ପୋଲିସରେ ଅଭିଯୋଗ କରିଛନ୍ତି ପୀଡ଼ିତ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।