ନୂଆଦିଲ୍ଲୀ: ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ମୁମ୍ବାଇ ପୁଲିସ ପକ୍ଷରୁ ସମନ କରାଯାଇଛି । ଆସନ୍ତା ୨୨ ତାରିଖରେ ହାଜର ହେବା ଲାଗି ସମନରେ କୁହାଯାଇଛି । ମୁସଲମାନ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ଟିପ୍ପଣୀ ପ୍ରସଙ୍ଗରେ ମୁମ୍ବାଇ ପୁଲିସ ପଚରା ଉଚୁର କରିବ । ଏକ ଟିଭି ଡିବେଟରେ ଭାଗ ନେଇ ମୁସଲମାନ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ମେ ୨୮ ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କ ବିରୋଧରେ ଆଇପିସିର ଧାରା ୨୯୫-ଏ ଅର୍ଥାତ୍ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟି ଏବଂ ୫୦୫ ଉପଧାରା ଦୁଇ ଅର୍ଥାତ୍ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବୟାନ ଦେବା ଭଳି ମାମଲା ମାନ ରୁଜୁ କରାଯାଇଛି । ତେବେ ନୁପୁର ଶର୍ମାଙ୍କ ବୟାନ ଓ ତାଙ୍କୁ ସମର୍ଥନ କରି ନବୀନ ଜିନ୍ଦଲଙ୍କ ଟ୍ୱିଟ୍କୁ ନେଇ କୂଟନୈତିକସ୍ତରରେ ଭାରତକୁ ପ୍ରବଳ ବିରୋଧ କରାଯାଇଛି । ବିଶ୍ୱରେ ମୁସଲିମ୍ ସଂପ୍ରଦାୟର ନେତୃତ୍ୱ ନେଉଥିବା ଇସଲାମିକ୍ କୋ-ଅପରେସନ୍ ସଂଘ ତଥା ଓଆଇସି ବିଜେପିର ଦୁଇ ନେତାଙ୍କ ବୟାନକୁ ତୀବ୍ର ବିରୋଧ କରିଛି । ଏଥିଲାଗି ଭାରତ ସରକାରଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ।